ରେସନ କାର୍ଡରେ ଲୋକଙ୍କୁ ଏବେ ଖାଦ୍ୟ ଶସ୍ୟ ସମେତ ମାଗଣାରେ ମିଳିବ ଡାଲି, ତେଲ ଓ ନୁଣ, ଜାଣନ୍ତୁ କେଉଁ ରାଜ୍ୟରେ

ଲକ୍ଷ୍ନୌ୨୭।୧୦: ‘ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା’ ( ପିଏମଜିକେଏୱାଇ) ରେ କୋଭିଡ କାଳ ଆରମ୍ଭରୁ ଏ ପର୍ଯ୍ୟନ୍ତ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି। ତେବେ ଆଗକୁ ଖାଦ୍ୟ ଶସ୍ୟ ସହ ୧ କେଜି ଡାଲି, ୧ ଲିଟର ତେଲ ଓ ଲୁଣ ପ୍ୟାକେଟ ଯୋଡିବାକୁ ଉତ୍ତର ପ୍ରଦେଶର ଯୋଗୀ ସରକାର ଯୋଜନା କରୁଛନ୍ତି। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ। ଏଣୁ ସରକାର ଲୋକଙ୍କ ଲାଗି ଅନେକ ଜନକଲ୍ୟାଣକାରୀ ଯୋଜନା ହାତକୁ ନେଉଥିବା ବେଳେ ଏଥିରେ ପିଏମଜିକେୱାଇକୁ ସମ୍ପ୍ରସାରିତ କରିପାରନ୍ତି ବୋଲି ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି।

ଗତବର୍ଷ କୋଭିଡ ଲକଡାଉନ ଆରମ୍ଭ କାଳରେ ସାରା ଦେଶରେ ପିଏମଜିକେଏୱାଇ ଯୋଜନା ହାତକୁ ନିଆଯାଇଥିଲା। ରାସନକାର୍ଡରେ ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ସମେତ ବ୍ୟାଙ୍କ ଆକାଉଣ୍ଟରେ ନଗଦ ମଧ୍ୟ ସରକାର ଦେଇଥିଲେ। ତେବେ ଧାର୍ଯ୍ୟ ଅବଦ୍ଧି ଶେଷ ହେବା ପରେ କେନ୍ଦ୍ର ସରକାର ଯୋଜନାକୁ ନଭେମ୍ବର ମାସ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଥିଲେ। ହେଲେ ୟୁପିରେ ଏବେ ଯୋଜନାକୁ ଆଗାମୀ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରଖିବା ଲାଗି ଯୋଗୀ ସରକାର  ବିଚାର କରୁଛନ୍ତି।

ଏ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାୟକ ଓ ବିଭିନ୍ନ ସଙ୍ଗଠନ ସହିତ  ବୈଠକ ମଧ୍ୟ କରିଛନ୍ତି। ରାଜ୍ୟରେ ନିଶୁଳ୍କ ଖାଦ୍ୟ ଶସ୍ୟ ବିତରଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିବା ବେଳେ ଆଗାମୀ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରାଜ୍ୟରେ ଯୋଜନା ଚଳାଇ ରଖିବା ଲାଗି ପରାମର୍ଶ ମଧ୍ୟ ଦେଇଛନ୍ତି। ତେବେ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ତ ଜଣାପଡି ନାହିଁ ତେବେ ତାଙ୍କ ଟିମ୍‌ ସହ ଏ ନେଇ ଚର୍ଚ୍ଚା କରିବା ସହ ଏକ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ରାସନକାର୍ଡଧାରୀଙ୍କୁ  ପରିବାରର ପ୍ରତି ବ୍ୟକ୍ତି ମାସିକ ୩ କେଜି ଗହମ ଓ ୨ କେଜି ଚାଉଳ ଯୋଗାଇ ଦିଆଯାଉଛି। ତେବେ ଯୋଗୀ ସରକାର ରାଜ୍ୟରେ ଯୋଜନାକୁ ଅଧିକ ଲୋକ ପ୍ରୀୟ କରିବା ଲାଗି କେନ୍ଦ୍ର ସରକାରଙ୍କ ଗହମ ଓ ଚାଉଳ ସହ ୧ କେଜି ଡାଲି ଓ ୧ ଲିଟର ସୋରିଷ ତେଲ ସମେତ ନୁଣ ପ୍ୟାକେଟ୍ ଦେବାକୁ ବିଚାର କରୁଥିବା ଜଣାପଡିଛି।

Spread the love