ଆଜି ଲୋକଲୋଚନକୁ ଆସିଲେ ଦିବ୍ୟଶଙ୍କର, ହାତରୁ ଖସିବନି ମନ୍ତ୍ରୀ ପଦ !

କଳାହାଣ୍ଡି ୩୦।୧୦: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଜୋର ଧରିଛି। ତେବେ ଦୀର୍ଘ ସମୟର ନିରବତା ଏବଂ ତୁମ୍ବିତୋଫାନ ପରେ ଗତକାଲି ଦିବ୍ୟଶଙ୍କର ପ୍ରେସ୍ ବିବୃତି ଜାରି କରି ନିଜର ପ୍ରତିକ୍ରିୟା ରଖିଥିଲେ।  ଅନେକ ଦିନ ଧରି ଆତ୍ମଗୋପନ କରିବା ପରେ ଏବେ ସର୍ବସମ୍ମୁଖକୁ ଆସିଛନ୍ତି ଦିବ୍ୟଶଙ୍କର ମିଶ୍ର। କେବଳ ଲୋକଲୋଚନକୁ ଆସି ନାହାନ୍ତି ବରଂ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ଦିବ୍ୟଶଙ୍କର। ଏହି ପ୍ରକାରେ ଦିବ୍ୟଶଙ୍କରଙ୍କୁ ସାମ୍ନାକୁ ଆଣି ବିରୋଧୀଙ୍କୁ ଦୃଢ ଜବାବ ଦେବାକୁ ଚେଷ୍ଟା କରିଛି ଶାସକ ବିଜେଡି।

ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରୁଥିବା ବେଳେ ନଭେମ୍ବର ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ରହିଛି। ଆଉ ଏହାକୁ ନେଇ ମନ୍ତ୍ରୀ ପ୍ରସାଶନିକ ଅଧିକାରୀଙ୍କ ସହ ପ୍ରସ୍ତୁତି କରାଯାଉଥିବା ଦେଖିବାକୁ ମିଳିଛି। କଳାହାଣ୍ଡିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ସହ ଶୁଭ ଦେବାର କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀ ଭବାନୀପାଟଣା ଓୟୁଏଟି ପଡ଼ିଆରେ ହେଲିକପ୍ଟରରୁ ଓହ୍ଲାଇବେ। ଏହା ପରେ ଅଡିଟୋରିୟମରେ ୨୫୦ ଜଣ ହିତାଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ବୋଲି ସୂଚନା ମିଳିଛି। ଯଦିଓ ତାରିଖ ଘୋଷଣା  ହୋଇନାହିଁ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓୟୁଏଟି ପଡ଼ିଆରେ ସଭାସ୍ଥଳ, କେଉଁଠି ହେଲିପ୍ୟାଡ୍ ଓ ସଭା ହେବ ଏ ନେଇ ସମୀକ୍ଷା କରିଛନ୍ତି । ତାଙ୍କ ସହ କଳାହାଣ୍ଡି ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ ଶ୍ରବଣ ବିବେକ ଏମ୍ , ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ଅଜିତ କୁମାର ବାବୁ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

ସେହିପରି ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏଠାରେ ସେ ଦଳୀୟ କର୍ମୀ ସହ ସାଧାରଣ ଲୋକଙ୍କୁ ଭେଟିଛନ୍ତି। ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ପ୍ରସ୍ତୁତି କରିବା ମନ୍ତ୍ରୀ ମଣ୍ଡଳରୁ ଦିବ୍ୟଶଙ୍କରଙ୍କ ବହିଷ୍କାର ଚର୍ଚ୍ଚା ଉପରେ ବିରାମ ଲଗାଇଛି। ସେହିପରି ନିର୍ବାଚନ ମଣ୍ଡଳୀରେ ଶତାଧିକ ଲୋକଙ୍କ ସମାଗମରେ ମନ୍ତ୍ରୀଙ୍କୁ ସ୍ଵାଗତ କରାଯିବା ବିରୋଧୀଙ୍କୁ ଏକ ଜବାବ ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ  ହୋଇ ସାରିଛି। ହେଲେ ଗୋବିନ୍ଦ ସାହୁଙ୍କ ସହ ଦିବ୍ୟଶଙ୍କରଙ୍କ ନିବିଡ ସଂପର୍କ ଏବଂ ବାରମ୍ବାର ଉକ୍ତ ଘରୋଇ କଲେଜକୁ ଯିବା ତାଙ୍କର ଏହି ଘଟଣାରେ ପରୋକ୍ଷ ସଂପୃକ୍ତି ଥିବା ବିରୋଧୀ ଅଭିଯାେଗ କରିଛନ୍ତି। ଏପରିକି ଉକ୍ତ କଲେଜ୍‌ରେ ଯୌନ କେଳେଙ୍କାରୀ ଚାଲିଥିବା ମମିତାଙ୍କ ବାପା ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏପରିକି ଦିବ୍ୟଶଙ୍କର ଉକ୍ତ କଲେଜକୁ ନିୟମିତ ଆସୁଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହା ପରେ ଏହି ହତ୍ୟାକାଣ୍ଡରେ ଦିବ୍ୟଶଙ୍କରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ଉଠିଥିଲା। ଏପରିକି ସେ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜୋର ଧରିଥିଲା। ପଲ୍ଲୀଠୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୀତି ଜୋର ଧରିଥିଲା। ବିଜେପିର ତିନି ଜଣିଆ କେନ୍ଦ୍ରୀୟ ଟିମ୍ ଏବଂ କଂଗ୍ରେସର ଜାତୀୟ ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେଓ୍ଵଲା ଓଡିଶା ଗସ୍ତ କରି ମମିତା ମେହେରଙ୍କ ପରିବାରକୁ ଭେଟିଥିଲେ।

ଦିବ୍ୟଶଙ୍କରଙ୍କ ଯୋଗୁଁ ବିଜେଡି ମଧ୍ୟ ବ୍ୟାକଫୁଟରେ ନଜର ଆସିଥିଲା। ଦଳର ଆଗଧାଡିର ମୁଖପାତ୍ରମାନେ ସାମ୍ବାକୁ ଆସି ସରକାରଙ୍କ ପକ୍ଷ ରଖିନଥିଲେ। ସେପଟେ ବିରୋଧୀଙ୍କ ଘନ ଘନ ସାମ୍ବାଦିକ ସମ୍ମିଳନୀ ସହ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ ବିଜେଡିକୁ ଅକଳରେ ପକାଇଥିଲା। ସେପଟେ ଦୀର୍ଘ ସମୟ ଧରି ଦିବ୍ୟଶଙ୍କର ନିରବ ରହିବା ସହ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ତାଙ୍କୁ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖିବାକୁ ମଧ୍ୟ ମିଳିନଥିଲା। ଆଶା କରାଯାଉଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭାବମୂର୍ତ୍ତି ବଜାୟ ରଖିବା ପାଇଁ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ପଦରୁ ହଟାଇବେ। କାରଣ ଏମିତି ଅନେକ ନଜିର  ରହିଛି, ଯେଉଁଠି ମୁଖ୍ୟମନ୍ତ୍ରୀ ଦାଗ ଲାଗୁଥିବା ଏବଂ ଅଭିଯୋଗ ଉଠୁଥିବା ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ରୁ ବହିଷ୍କାର କରିଛନ୍ତି। ସେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀ ହୁଅନ୍ତୁ ନା ଦାମ ରାଉତ, ସେ ପ୍ରଫୁଲ୍ଲ ଘଡେଇ ହୁଅନ୍ତୁ ନା ପ୍ରତାପ ଜେନା। ଏମିତି ଅନେକ ଉଦାହରଣ ରହିଛି, ଯେଉଁଠି ଅଭିଯୋଗ ଆସିଲେ ନବୀନ ପଟ୍ଟନାୟକ ନିଜ ଛବି ଏବଂ ଭାବମୂର୍ତ୍ତିକୁ ଦୃଷ୍ଟିରେ ରଖି ମନ୍ତ୍ରୀଙ୍କୁ ବହିଷ୍କାର କରିଛନ୍ତି।

ହେଲେ ମମିତା ମେହେର କେସ୍‌ରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ମା ଓ ଭଉଣୀଙ୍କ ସମ୍ମାନ ଏବଂ ନାରୀ ଶକ୍ତିର କଥା କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମିତା ମେହେର ପରି ଜଘନ୍ୟ ହତ୍ୟାକାଣ୍ଡ କେସ୍‌ରେ ମଧ୍ୟ ମଉନ ରହିଲେ। ଏପରିକି ତାଙ୍କ ମୁହଁରୁ ଶବ୍ଦଟିଏ ମଧ୍ୟ ଆସିଲାନି। ଅନେକ ମନ୍ତ୍ରୀଙ୍କୁ କ୍ୟାବିନେଟ୍‌ରୁ ବିଦାୟ ରାସ୍ତା ଦେଖାଇଥିବା ନବୀନ ପଟ୍ଟନାୟକ କିନ୍ତୁ ଦିବ୍ୟଶଙ୍କରଙ୍କୁ କ୍ୟାବିନେଟ୍‌କୁ କାଢି ନାହାନ୍ତି। ଓଲଟା ତାଙ୍କୁ ଏହି କେସ୍‌ରେ ନିରବ ସମର୍ଥନ ଜଣାଇଛନ୍ତି। ଫଳସ୍ଵରୂପ ଅନେକ ଦିନର ନିରବତା ପରେ ଦିବ୍ୟଶଙ୍କର ପ୍ରେସ ବିବୃତି ଜାରି କରି ନିଜର ସଫେଇ ଦେବା ସହ ତାର ପରବର୍ତ୍ତୀ ଦିନ ସାର୍ବଜନୀନ ଭାବେ ନଜର ଆସିଛନ୍ତି। ଏଥିରୁ ସଙ୍କେତ ମିଳି ଯାଇଛି ଯେ, ବିରୋଧୀ ଯେତେ ଦାବି, ତୁମ୍ବିତୋଫାନ, ଗର୍ଜନ ଏବଂ ବିରୋଧ ପ୍ରଦର୍ଶନ କଲେ ମଧ୍ୟ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ପଦରେ ରହିବେ। ଆଉ ବିଜେଡି ଏହି ସନ୍ଦେଶ ଦେବାକୁ ଚେଷ୍ଟା କରିଛି ଯେ, ଦିବ୍ୟଶଙ୍କରଙ୍କ ଏହି କେସ୍‌ରେ କୌଣସି ସଂପୃକ୍ତି ନାହିଁ।

Spread the love