ନଭେମ୍ବରରେ ଦୁଇଟି ଲଘୁଚାପ : ୧୧ରୁ ପ୍ରବଳ ବର୍ଷା

ଭୁବନେଶ୍ୱର,୦୬/୧୧: ଅକ୍ଟୋବର ପରେ ଚଳିତ ନଭେମ୍ବର ମାସରେ ବି ରାଜ୍ୟରେ ଲଘୁଚାପଜନିତ ବର୍ଷା ହେବ । ଆସନ୍ତା ୧୧ ଓ ୧୨ ତାରିଖରେ ଭୁବନେଶ୍ୱର ସମେତ ସମୁଦ୍ର ସଂଲଗ୍ନ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି।

ପ୍ରଫେସର ଡ. ପଶୁପାଳକ କହିଛନ୍ତି, ସୁମାତ୍ରା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେ। ୯ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ । ୧୨ ଓ ୧୩ ତାରିଖରେ ଏହି ଘୂର୍ଣ୍ଣିବଳୟ ତାମିଲନାଡୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଛୁଇଁବ ।

ଦକ୍ଷିଣ ଆରବସାଗରରେ ବର୍ତ୍ତମାନ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏଣୁ ପବନ ଏଠାକୁ ଟାଣି ହୋଇଯିବ । ଫଳରେ ବଙ୍ଗୋପସାଗରୀୟ ଲଘୁଚାପ ଅଧିକ ଘନୀଭୂତ ନ ହୋଇପାରେ । କିନ୍ତୁ ଚେନ୍ନାଇ, ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଭାରୀ ବର୍ଷା ହେବ । ଏହାର ପ୍ରଭାବରେ ଭୁବନେଶ୍ୱର, ଗୋପାଳପୁର, ପୁରୀ, ପାରାଦୀପ ଓ ଅନ୍ୟ ସମୁଦ୍ର ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୧ ଓ ୧୨ ତାରିଖରେ ଏହି ବର୍ଷା ହେବ । ଭୁବନେଶ୍ୱର ଓ ଉପକୂଳ ଅଞ୍ଚଳରେ ୧୩ତାରିଖ ଯାଏ ପାଗ କୋହଲା ରହିବା ସହ କୁହୁଡ଼ି ହେବ । ସେପଟେ ଉପକୂଳ ଜିଲ୍ଲାକୁ ଲାଗିଥିବା ଜିଲ୍ଲାରେ ପାଗ ମେଘୁଆ ରହିବା ସହ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବି କାଁ ଭାଁ ବର୍ଷା ହେବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି ।

ରାଜ୍ୟରେ ୧୦ ତାରିଖ ଯାଏ ପାଗ ଖରାଟିଆ ରହିବ । ଭୁବନେଶ୍ୱର ଓ ଉପକୂଳ ଜିଲ୍ଲାରେ ୬ ଓ ୭ ତାରିଖରେ ପାରଦ ୨ ଡିଗ୍ରୀ କମିବ । କନ୍ଧମାଳ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ୧୦ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରୀ ପାରଦ କମିବ । ୧୧ତାରିଖରୁ ପୁଣି ରାତ୍ରି ତାପମାତ୍ରା ବଢ଼ିବ ବୋଲି ସେ କହିଛନ୍ତି ।୧୪ ତାରିଖ ବେଳକୁ ଥାଇଲାଣ୍ଡ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ମୁହାଁଇବ । ପରେ ଏହାର ଗତିପଥ ଉତ୍ତର ପଶ୍ଚିମ ଦିଗରେ ଦକ୍ଷିଣ ଉପକୂଳକୁ ମୁହାଁଇବ । ରାଜ୍ୟରେ ଏହାର ପ୍ରଭାବରୁ ବର୍ଷା ହୋଇପାରେ । କିନ୍ତୁ ଏବେସୁଦ୍ଧା ଏହାର ପ୍ରଭାବ ଆକଳନ ହୋଇପାରିନି । ୧୪ ତାରିଖ ବେଳକୁ ଏହାର ଚିତ୍ର ସ୍ପଷ୍ଟ ହେବ ବୋଲି ଡ. ପଶୁପାଳକ କହିଛନ୍ତି । ଆସନ୍ତା ୯ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ଓ କୌଣସି ବର୍ଷା ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ଦୁଇ ଦିନ ପରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ କମିବ ବୋଲି ପୂର୍ବାନୁମାନ କରାଯାଇଛି । ଶୁକ୍ରବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୫.୨ ଡିଗ୍ରୀକୁ ଖସିଆସିଛି । କେନ୍ଦୁଝରରେ ୧୭.୪, ଫୁଲବାଣୀରେ ୧୭.୫, ଝାରସୁଗୁଡ଼ାରେ ୧୮.୪, ଟିଟିଲାଗଡ଼ରେ ୧୯.୪ ଓ ବାରିପଦାରେ ସର୍ବନିମ୍ନ ତାପମାତ୍ରା ୧୯.୫ଡିଗ୍ରୀ ରେକର୍ଡ ହୋଇଛି ।

Spread the love