6ଟି ପ୍ରସଙ୍ଗ ଉପରେ ଆଲୋଚନା କଲେ ନବୀନ ପଟ୍ଟନାୟକ ଓ ଜଗନମୋହନ ରେଡ୍ଡୀ

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୨ ରାଜ୍ୟ ଭିତରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଲୋକସେବା ଭବନରେ ଆଲୋଚନା ପରେ ମିଳିତ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୱାଇ.ଏସ୍ ଜଗନମୋହନ ରେଡ୍ଡୀ । ଜଳ ସମ୍ପଦ, ସୀମା ବିବାଦ, ଶକ୍ତି ସହ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇଛି ।

 

୬ଟି ମୁଖ୍ୟ ବିବାଦର ସମାଧାନ ନେଇ ଦୁଇ ରାଜ୍ୟ ମିଳିତ ଭାବେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

  • କୋଟିଆ ସୀମା ବିବାଦ
  • ନେରାଡ଼ି ବ୍ୟାରେଜ୍
  • ଝଞ୍ଜାବତୀ ଡ୍ୟାମ୍
  • ପୋଲାଭରମ
  • ବାହୁଡ଼ା ନଦୀରୁ ଜଳ ଛାଡ଼ିବା
  • ବାଲିମେଳା ଓ ଅପର ସିଲେରୁରେ ବିଦ୍ୟୁତ୍ ପ୍ରକଳ୍ପ

 

ନକ୍ସଲ ଓ ଗଞ୍ଜେଇ ଚାଷର ମୂଳୋତ୍ପଟାନ ଲାଗି ଦୁଇ ରାଜ୍ୟ ପରସ୍ପରକୁ ସହଯୋଗର ହାତ ବଢ଼ାଇବେ ବୋଲି ନିଷ୍ପତ୍ତି ହୋଇଛି । ଶ୍ରୀକାକୁଲମ ସ୍ଥିତ ବି.ଆର୍. ଆମ୍ବେଦକର ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଓ ତେଲୁଗୁ ଚେୟାର ପ୍ରତିଷ୍ଠା ନେଇ ଉଭୟ ରାଜ୍ୟ ସରକାର କାମ କରିବେ । ସେହିଭଳି ଦୁଇ ରାଜ୍ୟର ସୀମାନ୍ତ ଜିଲ୍ଲାରେ ଭାଇଚାରାକୁ ବଢ଼ାଇ ଉଭୟ ରାଜ୍ୟରେ ପ୍ରଚଳିତ ଭାଷାର ଶିକ୍ଷକ ନିଯୁକ୍ତି ସହ ବହି ଯୋଗାଣ, ପରୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି ।

 

ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଦୁଇ ରାଜ୍ୟ ଏକାଠି ବୁଝାମଣାର ସହ କାମ କରିବେ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ୨ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ କମିଟି କରାଯିବ ।

Spread the love