ସାକ୍ଷୀଗୋପାଳ ମନ୍ଦିର ପରିସରରେ ଅଁଳା ନବମୀ ଓ ବଡ ଏକାଦଶୀରେ ଲାଗୁ ହେବ କଟକଣା

ପୁରୀ ୧୦/୧୧: ଆସନ୍ତା ୧୨ ଓ ୧୫ ତାରିଖରେ ସାକ୍ଷୀଗୋପାଳ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯିବ । ଆସନ୍ତା ୧୨ ତାରିଖରେ ଅଁଳା ନବମୀ ଓ ୧୫ ତାରିଖରେ ବଡ ଏକାଦଶୀ ଦିନ ଏହି କଟକଣା ଜାରି କରାଯାଇଛି । ଉପ ଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ସାକ୍ଷୀଗୋପାଳ ଠାରେ ଅନୁଷ୍ଠିତ ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ଦୁଇ ଦିନରେ ବହୁ ସଂଖ୍ୟାରେ ଜନ ସମାଗମ ହେବା ଏବଂ କରୋନା ବ୍ୟାପିବା ଆଶଙ୍କ‍ା ଥିବାରୁ ଏହି କଟକଣା ବଳବତ୍ତର ରହିବ । କେବଳ ସ୍ବୀକୃତିପ୍ରାପ୍ତ ବ୍ୟକ୍ତିବିଶେଷ ମାନଙ୍କ ପ୍ରବେଶାନୁମତି ରହିବ । ମନ୍ଦରିର ନୀତିକାନ୍ତି ସୂଚାରୁ ରୂପେ ପରିଚାଳନା କରିବା ସଂକ୍ରାନ୍ତରେ ସଂପୃକ୍ତ ସେବାୟତମାନଙ୍କ ସହ ଆଲୋଚନା କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ମନ୍ଦିର ପରିସର ସାନିଟାଇଜ କରାଯିବା ସହ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସଫେଇ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପ୍ରଧାନ, ଏସଡିପିଓ ଦେବଦତ୍ତ ବରାଳ, ଥାନାଧିକାରୀ ଦେବୀ ପ୍ରସାଦ ପାତ୍ର, ମନ୍ଦିର ନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଦେବତ୍ତୋର ବିଭାଗ ସହ କମିଶନର ଶ୍ରୀଦିପ୍ ମିଶ୍ର,  ସେବାୟତ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love