କ୍ରିକେଟ୍ ଦୁନିଆକୁ ମିଳିଲା ନୂତନ ଟି-୨୦ ଚାମ୍ପିଅନ, କିଓ୍ଵି ଦଳକୁ ହରାଇ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିଲା ଅଷ୍ଟ୍ରେଲିଆ

କ୍ରିକେଟ୍ ଦୁନିଆକୁ ମିଳିଲା ନୂତନ ଟି-୨୦ ଚାମ୍ପିଅନ। ଟି-୨୦ ବିଶ୍ଵ କପ୍  ଟାଇଟଲ୍ ଜିତିଲା ଅଷ୍ଟ୍ରେଲିଆ। ୧୫ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଟ୍ରଫି ଜିତିବାରେ ସଫଳ ହୋଇଛି। ଅନ୍ୟପଟେ  ନ୍ୟୁଜିଲାଣ୍ଡର ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି। ଏହା ପୂର୍ବରୁ ୨୦୧୫ରେ ମଧ୍ୟ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ଦିନିକିଆ ବିଶ୍ଵ କପ୍‌ ଫାଇନାଲ୍‌ରେ ପରାସ୍ତ କରିଥିଲା।  ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍‌ରେ ମିଚେଲ୍ ମାର୍ଶ ଏବଂ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ୮ ଓ୍ଵିକେଟ୍‌ରେ ହରାଇ ଟି-୨୦ ବିଶ୍ଵ କପ୍ ଜିତିଛି। ଏଥିସହ ରନର୍ସ ଅପରେ ନ୍ୟୁଜିଲାଣ୍ଡକୁ ସନ୍ତୁଷ୍ଟ ହେବାକୁ ପଡିଛି। ୨୦୧୯ ଦିନିକିଆ ବିଶ୍ଵ କପରେ ମଧ୍ୟ ନ୍ୟୁଜିଲାଣ୍ଡକୁ ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ୫ ଥର ଦିନିକିଆ ବିଶ୍ଵ କପ୍ ଜିତିଥିବା ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଜିତିବାରେ ସକ୍ଷମ ହୋଇଛି।

Spread the love