କେନ୍ଦ୍ରାପଡ଼ା ସାଂସଦ ତଥା ଫିଲ୍ମଷ୍ଟାର ଅନୁଭବ ମହାନ୍ତି ଏକ ସଙ୍ଗୀନ ମାମଲାରେ ଫସିଛନ୍ତି । କଟକର ସସ୍ମିତା ଆଚାର୍ଯ୍ୟ ନାମକ ଜଣେ ସାମ୍ବାଦିକା ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଅନୁଭବଙ୍କ ଭାଇ ଅନୁପ୍ରାସ ତାଙ୍କୁ କମେଣ୍ଟ ମାରିଥିବାରୁ ସେ ତାଙ୍କ ଘରକୁ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ଅନୁଭବ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ତାଙ୍କ ଉପରକୁ ଛେପ ପକାଇଥିବା ମହିଳା ଜଣଙ୍କ କଟକର ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏତଲାକୁ ଗ୍ରହଣ କରି  ମାମଲା ରୁଜୁ କରିଛି ।
ମହିଳାଙ୍କ ଅଭିଯୋଗ ଏଭଳି । ଦୁଇବର୍ଷ ତଳେ ଏକ ଖବରକାଗଜରେ ଇଣ୍ଟର୍ଣ୍ଣ  କାମ କରୁଥିଲେ । ସେ ଅଫିସକୁ ଯିବା ଆସିବା କଲା ବେଳେ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ତାଙ୍କ ସାଙ୍ଗମାନଙ୍କୁ ଧରି ବାଟରେ କମେଣ୍ଟ ଓ ଅଶ୍ଲୀଳ ଇଙ୍ଗିତ କରୁଥିଲେ । ସେଥିପାଇଁ ଭୟରେ ସେ ଚାକିରି ଛାଡ଼ି ଦେଇଥିଲେ । ସେ ବିବାହିତା ଓ ତାଙ୍କର ଗୋଟିଏ ଛୁଆ ଅଛି । ଚାକିରି ଛାଡ଼ି ସେ ମାନସିକ ଅଶାନ୍ତିରେ ରହୁଥିଲେ । ଭାଇଙ୍କର ଏଭଳି ଆଚରଣ ସମ୍ପର୍କରେ ଅନୁଭବଙ୍କୁ ଜଣାଇବାକୁ ଗତ ୧୨ ତାରିଖ ରାତିରେ ସେ ତାଙ୍କ ଚୋ÷ଧୁରୀ ବଜାରସ୍ଥିତ ଘରକୁ ଯାଇଥିଲେ । ମାତ୍ର ଅନୁଭବ ତାଙ୍କ ପତ୍ନୀ ବର୍ଷାଙ୍କ ଉପସ୍ଥିତିରେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମୁହଁକୁ ଛେପ ପକାଇଥିଲେ ।
ତେବେ ମହିଳାଙ୍କର ଏହି ଅଭିଯୋଗକୁ ବେସଲେସ୍ କହିଛନ୍ତି ଅନୁଭବ । ସେ ଓ ତାଙ୍କ ଭାଇଙ୍କ ବିରୋଧରେ ଏଭଳି ଅଭିଯୋଗ ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କର କହିବା କଥା, ସେଦିନ ରାତିରେ ଉକ୍ତ ମହିଳାଜଣଙ୍କୁ ହଠାତ୍ ତାଙ୍କ ଘର ଆଗରେ ବିଳମ୍ବିତ ରାତିରେ ଦେଖିଥିଲେ । ସେ ଜୋର୍ ରେ ଗାଳିମନ୍ଦ କରୁଥିଲେ । ତାଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରି ବି ସେ ଓ ତାଙ୍କ ପତ୍ନୀ ପାରି ନ ଥିଲେ । ଏତେ ରାତିରେ ଜଣେ ମହିଳାଙ୍କୁ ଏକୁଟିଆ ଛାଡ଼ି ନ ଦେଇ ସେ ପୁଲିସର ସହାୟତା ଲୋଡ଼ିଥିଲେ ।
ପିସିଆରକୁ ଖବର ଦେବା ପରେ ପୁଲିସ ସେଠାରୁ ତାଙ୍କୁ ନେଇ ଘରେ ଛାଡ଼ିଥିଲା । ମହିଳାଙ୍କ ଏତାଦୃଶ ଆଚରଣ ସମ୍ପର୍କରେ ତାଙ୍କ ଭାଇ ଅନୁପ୍ରାସ ଥାନାରେ ସେଦିନ ଲିଖିତ ଆକାରରେ ଜଣାଇଥିଲେ । ପୁଲିସ ସବୁ ଜାଣିଛି ତେଣୁ ଲୁଚାଇବାର କିଛି ନାହିଁ ବୋଲି ଅନୁଭବ କହିଛନ୍ତି ।
ଅନୁଭବ କହିଛନ୍ତି, ତାଙ୍କ ଭାଇ ଅନୁପ୍ରାସ ତାଙ୍କୁ ହଇରାଣ ହରକତ କରୁଥିବା ନେଇ ମହିଳା ଯାହା କହୁଛନ୍ତି ତାହା ମିଛ । ଦୁଇବର୍ଷ ତଳେ ନୁହେଁ, ୨୦୦୮ ମସିହାରେ ତାଙ୍କୁ ହଇରାଣ କରୁଥିଲେ ବୋଲି ମହିଳା ତାଙ୍କ ମୁହଁରେ କହିଛନ୍ତି । ତେଣୁ ୧୨ ବର୍ଷ ଯାଏଁ ସେ ଏ ସମ୍ପର୍କରେ ଚୁପ୍ ରହିଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । କାହାରିକୁ ଅସମ୍ମାନ କରିବା ତାଙ୍କ ଘରର ସଂସ୍କାର ନୁହେଁ । ତାଙ୍କୁ ଓ ପରିବାରକୁ ବଦନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ସେ ସନେ୍ଦହ କରିବା ସହ ଏହା ପଛରେ ଅନ୍ୟ କାହାରି ହାତ ଥାଇପାରେ ବୋଲି କହିଛନ୍ତି । ପୋଲିସର ସବୁ ପ୍ରକାର ତଦନ୍ତକୁ ସେ ସହଯୋଗ କରିବେ ଏବଂ ସତ୍ୟ ପଦାକୁ ଆସୁ ବୋଲି କହିଛନ୍ତି ।
Spread the love