କ୍ରିମି ବ୍ରୋକଲି ସୁପ୍‌

ବ୍ରୋକଲି ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ। କିନ୍ତୁ ପିଲାମାନେ ଏହାକୁ ଖାଇବାକୁ ପସନ୍ଦ କରିନଥାନ୍ତି। ତେବେ ଆପଣଙ୍କ ପିଲା ବି ଯଦି ବ୍ରୋକଲି ଖାଇବାକୁ ପସନ୍ଦ କରୁନାହିଁ, ତେବେ ତାହାକୁ ଆପଣ ସୁପ୍‌ ରୂପେ ଖୁଆଇପାରିବେ। ଶୀତଦିନେ ଏହି ସୁପ୍‌ ଶରୀରକୁ ଗରମ ରଖିବା ସହ ହାଡ଼କୁ ବି ମଜଭୁତ କରିବାରେ ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ପୋଷକ ତତ୍ତ୍ୱରେ ଭରପୂର ବ୍ରୋକଲି ସୁପ୍‌ର ପ୍ରସ୍ତୁତି ପ୍ରଣାଳୀ…

ବ୍ରୋକଲି ସୁପ୍‌ ବନାଇବା ପାଇଁ ଗୋଟେ ବ୍ରୋକଲିକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏବେ ଏକ ପ୍ୟାନ୍‌ରେ ୧ ବଡ଼ ଚାମଚ ଘିଅ ଗରମ କରନ୍ତୁ। ଏଥିରେ ୧/୪ କପ୍‌ କଟା ପିଆଜ ପକାଇ ୧ ମିନିଟ୍‌ ଯାଏଁ ଭାଜନ୍ତୁ। ପିଆଜ ଟିକେ ଭାଜି ହୋଇଥିଲେ ସେଥିରେ ବ୍ରୋକଲି ପକାଇ ୨ ମିନିଟ୍‌ ଭାଜନ୍ତୁ। ଏବେ ଏଥିରେ ଦେଢ଼ କପ୍‌ ପାଣି ଦେଇ ମିଡିୟମ୍‌ ଆଞ୍ଚରେ ୪ ମିନିଟ୍‌ ଯାଏଁ ଫୁଟାନ୍ତୁ। ଏବେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲେ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରି ପ୍ୟୁରି ଭଳି କରି ଦିଅନ୍ତୁ।

ଏବେ ପ୍ୟାନ୍‌ରେ ୨ ବଡ଼ ଚାମଚ ଘିଅ ପକାନ୍ତୁ ଓ ୧ ଚାମଚ ମଇଦା ପକାଇ ୩୦ସେକେଣ୍ଡ ଯାଏଁ ଭାଜନ୍ତୁ। ଧ୍ୟାନ ରଖନ୍ତୁ ମଇଦା ଯେମିତି ନ ଜଳେ। ଏବେ ଏଥିରେ ୨ କପ୍‌ କ୍ଷୀର ପକାନ୍ତୁ ଓ ୫ ମିନିଟ୍‌ ଯାଏଁ ଫୁଟାନ୍ତୁ। ବ୍ରୋକଲି ପ୍ୟୁରିରେ ଏବେ ଲୁଣ, ଗୋଲମରିଚ ଗୁଣ୍ଡ ଓ ଗୋଟିଏ ଚିମୁଟା ଜାଇଫଳ ପାଉଡର ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ମିଡିୟମ୍‌ ଆଞ୍ଚରେ ୩ରୁ ୪ ମିନିଟ୍‌ ଫୁଟାନ୍ତୁ। ତା’ପରେ ଗ୍ୟାସ୍‌ ବନ୍ଦ କରି ଦିଅନ୍ତୁ। ଏହି ସୁପ୍‌କୁ ବାଉଲ୍‌କୁ କାଢ଼ି ଉପରେ ୨ ଚାମଚ କ୍ରିମ୍‌, ବ୍ରୋକଲି ଫୁଲରେ ସଜାଇ ସର୍ଭ କରନ୍ତୁ ଗରମା ଗରମ କ୍ରିମି ବ୍ରୋକଲି ସୁପ୍‌।

Spread the love