ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ଵର ୦୩।୧୨: ସମୁଦ୍ରରେ ବଳ ଗୋଟାଇ ମାଡି ଆସୁଛି ବାତ୍ୟା ‘ଜଓ୍ଵାଦ’। ୫ ତାରିଖ ମଧ୍ୟାହ୍ନରେ ପୁରୀରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ସ୍ଥଳଭାଗ ଅତିକ୍ରମ କରିବ ନା ଛୁଇଁ ଦେଇ ସମୁଦ୍ର ମଧ୍ୟରେ ଯିବ ତାର ଚିତ୍ର ଆସନ୍ତାକାଲି ସକାଳେ ସ୍ପଷ୍ଟ ହେବାର ଆଶା ରହିଛି। ଏହା ମଧ୍ୟରେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କଠୁ ନେଇ ଜିଲ୍ଲାସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ବାତ୍ୟାକୁ ଦୃଷ୍ଟିରେ ରଖି ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛି ଗଣ ଶିକ୍ଷା ବିଭାଗ।

ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖା ହୋଇଛି। ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, କୋରାପୁଟ, ରାୟଗଡା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରେ ନଭେମ୍ବର ୪ ତାରିଖ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ଗଣଶିକ୍ଷା ବିଭାଗ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ,  ବାତ୍ୟା ଜଓ୍ଵାଦ ପ୍ରଭାବରେ ଏହି ସବୁ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶନିବାର ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ପରୀକ୍ଷା ସ୍ଥିର ହୋଇଥିଲେ ସୁରକ୍ଷିତ ବ୍ୟବସ୍ଥାରେ କରାଯାଇପାରେ।  ସୂଚନାଯୋଗ୍ୟ, ବାତ୍ୟା ଜଓ୍ଵାଦ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବ।

ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଆଡକୁ ଘଣ୍ଟା ପ୍ରତି ୨୨ କିମି ବେଗରେ ଆଗକୁ ବଢୁଛି। ବାତ୍ୟା ଜଓ୍ଵାଦ ଗୋପାଳପୁରଠୁ ୪୨୦ କିମି, ପୁରୀଠାରୁ ୪୮୦ କିମି, ପାରାଦୀପଠୁ ୫୬୦ କିମି ଓ ବିଶାଖାପାଟଣାଠୁ ୩୦୦ କିମି  ଦୂରରେ ରହିଛି।  ସ୍ଥଳଭାଗରେ ପହଞ୍ଚିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୮୫ କିମି ବେଗରେ ରହିବାର ସମ୍ଭାବନା ରହିଛି।

Spread the love