ଶୀତଦିନର ଥଣ୍ଡା ଆପଣ ସହି ପାରୁ ନାହାନ୍ତି କି, ତୁରନ୍ତ ଡାଏଟ୍‌ରେ ସାମିଲ କରନ୍ତୁ ଏହି ସବୁ ଜିନିଷ

ଶୀତଦିନ ଆସି ସାରିଛି। ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ଶୀତଦିନେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇଥାଏ। ଥଣ୍ଡା ଦିନ ଆସିବା କ୍ଷଣି ସେମାନେ ଗରମ ପୋଷାକ ପିନ୍ଧିବା ଆରମ୍ଭ କରି ଦିଅନ୍ତି। ତଥାପି ସେମାନଙ୍କୁ ଥଣ୍ଡା ଲାଗିଥାଏ। ଯଦି ଆପଣ ବି ଏମିତି ଲୋକଙ୍କ ମଧ୍ୟରୁ ଜଣେ, ତା’ ହେଲେ ଆପଣଙ୍କୁ କିଛି କରିବାକୁ ପଡ଼ିବ। ଆପଣ ନିଜ ଡାଏଟ୍‌ରେ କିଛି ସ୍ୱତନ୍ତ୍ର ଖାଦ୍ୟ ଜିନିଷ ସାମିଲ କରନ୍ତୁ। ଏହି ଜିନିଷଗୁଡ଼ିକୁ ସେବନ କରିବା ଦ୍ୱାରା ଶରୀର ଗରମ ରହିଥାଏ ଏବଂ ଆପଣଙ୍କୁ ଥଣ୍ଡା କମ୍‌ ଅନୁଭୂତ ହୋଇଥାଏ। ଆସନ୍ତୁ ଜାଣିବା ଏହି ଖାଦ୍ୟ ଜିନିଷଗୁଡ଼ିକ ବିଷୟରେ।

କଞ୍ଚା ଲଙ୍କା: କଞ୍ଚା ଲଙ୍କାରେ ଭିଟାମିନ ସି, ଇ ଏବଂ ଫାଇବର ରହିଥାଏ। ଏଥି ସହିତ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ଭରପୂର ମାତ୍ରାରେ ଥାଏ। ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହାର ସ୍ୱାଦ ଆପଣଙ୍କୁ ରାଗ ଲାଗିପାରେ, କିନ୍ତୁ ଏହାର ଗୁଣ ବହୁତ ଫାଇଦାଯୁକ୍ତ ହୋଇଥାଏ।

ହଳଦୀ: ଆୟୁର୍ବେଦରେ ହଳଦୀର ଅନେକ ଫାଇଦା ବିଷୟରେ ଉଲ୍ଲେଖ କରାଯାଇଛି। ହଳଦୀ ଇମ୍ୟୁନିଟିକୁ ମଜଭୁତ କରିବାର କାମ କରିଥାଏ। ଏମିତିରେ ଶୀତଦିନେ ଆପଣ ହଳଦୀ ସେବନ କରିବା ଉଚିତ। ଏକ ଗ୍ଲାସ୍‌ ଗରମ କ୍ଷୀରରେ ଦୁଇ ଚୁଟ୍‌କି ହଳଦୀ ମିଶାନ୍ତୁ। ତା’ ପରେ ଏଥିରେ ଅଳ୍ପ ପାଣି ଦେଇ ଏହାକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। କ୍ଷୀର ସାମାନ୍ୟ ନଖ ଉଷୁମ ଥିଲେ ଏହାକୁ ସେବନ କରନ୍ତୁ। ଦେଖିବେ, ଆପଣଙ୍କୁ ଅଧିକ ଥଣ୍ଡା ଅନୁଭୂତ ହେବ ନାହିଁ।

ପିଆଜ: ପିଆଜ ଅନେକ ଗୁଣର ଅଧିକାରୀ। ଏଥିରୁ ଆମକୁ ବହୁତ ଲାଭ ମିଳିଥାଏ। ପିଆଜ ଖାଇଲେ ଆପଣଙ୍କ ଘା’, ଖଣ୍ଡିଆ ଆଦି ଶୀଘ୍ର ଭଲ ହୋଇ ଯାଇଥାଏ। ପିଆଜ ଅଧିକ ମାତ୍ରାରେ ସେବନ କଲେ ଶରୀରକୁ ଥଣ୍ଡା କମ୍‌ ଅନୁଭୂତ ହୋଇଥାଏ। ତେଣୁ ଶୀତଦିନେ ଏହାକୁ ନିଶ୍ଚୟ ନିଜ ଡାଏଟ୍‌ରେ ସାମିଲ କରନ୍ତୁ।

ଅଦା: ଅଦା ଗରମ ହୋଇଥାଏ। ଏମିତିରେ ଶୀତଦିନେ ଏହା ଆପଣଙ୍କ କାମରେ ଆସିପାରେ। ଆପଣ ଅଦାକୁ ଭଜା, ତରକାରୀରେ ପକାଇ ସେବନ କରି ପାରିବେ। ନଚେତ୍‌ ଅଦା ପକେଇ ଚା’ ମଧ୍ୟ ସେବନ କରି ପାରିବେ। ଏହାଦ୍ୱାରା ଆପଣଙ୍କୁ ଅଧିକ ଥଣ୍ଡା ଅନୁଭୂତ ହେବ ନାହିଁ। ଆପଣ ହାଡ଼ଭଙ୍ଗା ଶୀତକୁ ସମ୍ଭାଳି ନେଇ ପାରିବେ।

ବାଦାମ: ବାଦାମ ସମସ୍ତଙ୍କର ପ୍ରିୟ ଖାଦ୍ୟ ଜିନିଷ ହୋଇଥାଏ। ବିଶେଷ କରି ଶୀତଦିନ ବଜାରରେ ଏହା ଅଧିକ ମାତ୍ରାରେ ମିଳିଥାଏ। ଲୋକେ ମଧ୍ୟ ଏହାକୁ ପ୍ରଚୁର ମାତ୍ରାରେ ସେବନ କରି ଥାଆନ୍ତି। ବାଦାମ ଶରୀରରେ ପ୍ରୋଟିନର ଅଭାବକୁ ପୂରଣ କରିଥାଏ। ଏଥି ସହିତ ଏହା ଶରୀରକୁ ଗରମ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

Spread the love