ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଂଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ: ସମୀର ମହାନ୍ତି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀରେ ସମ୍ପୃକ୍ତ ଥିବା ଆଇନ ଓ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଂଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ । ଗରିବ ଲୋକଙ୍କ ପାଇଁ ଲଢେଇ କରୁଥିବା ମୋ ପାର୍ଟିର ଦୁଇ ଜଣ କାର୍ଯ୍ୟକର୍ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟା ଘଟଣାରେ ସିଧା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ପ୍ରମାଣିତ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ଜାଣିଶୁଣି ତାଙ୍କୁ ବିଧାନସଭାକୁ ଆସିବାକୁ ଦେଉଛନ୍ତି ଏବଂ ସଭା ମଂଚରେ ପାଖରେ ବସାଇ ଦକ୍ଷ ମନ୍ତ୍ରୀ ବୋଲି ସାର୍ଟିଫିକେଟ୍ ଦେଉଛନ୍ତି । ସନ୍ଦେହ ହେଉଛି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ଏ କାମ କରିବା ପାଇଁ ପ୍ରୋତ୍ସାହିତ କରିନାହାଁନ୍ତି ତ? ମହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ଆଇଆଇସି ତଥା ତଦନ୍ତକାରୀ ଅଧିକାରୀ ନିହାର ରଞ୍ଜନ ମହାନ୍ତି ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ପରୋକ୍ଷ ଭାବରେ ସେ ସରକାର ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ପୃଷ୍ଠପୋଷକତାରେ କାମ କରୁଥିବା ପ୍ରମାଣ କରିଦେଇଛନ୍ତି । ତେବେ ପ୍ରକାଶ ଯେ ଟେଲି ଯୋଗାଯୋଗ ନିୟମ ଅନୁସାରେ ୧ବର୍ଷ ଭିତରେ ଫୋନ୍ କଲ୍ ତଥ୍ୟ (ସିଡିଆର) ସଂରକ୍ଷଣ କରିନରଖିଲେ ତାହା ସବୁ ଡିଲେଟ୍ ହୋଇଯିବ । ତେଣୁ ଥାନା ଅଧିକାରୀ ଡିସେମ୍ବର ୨୦, ୨୦୨୦ରୁ କୋର୍ଟକୁ ମାଗିଥିଲେ । ଏହି ସବୁ ତଥ୍ୟ ପ୍ରମାଣିତ କରୁଛି ମାହାଙ୍ଗା ଆଇଆଇସି ତଥା ତଦନ୍ତକାରୀ ଅଧିକାରୀ ନିହାର ରଞ୍ଜନ ମହାନ୍ତି ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି । ସେ ଘଟଣାରେ ତତ୍ପରତା ନଦେଖାଇବା ଏବଂ ମାନ୍ୟବର ଅଦାଲତଙ୍କୁ ବାରମ୍ବାର ଅଧିକ ସମୟ ମାଗିବାର ଆଳ ଦେଖାଇ କେସ୍‌କୁ ରଫାଦଫା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ଶାସକ ଦଳ ଓ ସେମାନଙ୍କ ମୁଖିଆ ନିଜେ ନିଜେ ଅଦାଲତଙ୍କ ନିର୍ଦ୍ଦେଶକୁ ନିଜେ ବିଚାର କରି ନିଷ୍ପତି ନେଉଛନ୍ତି । ଭାରତୀୟ ଜନତାପାର୍ଟି ସର୍ବଦା କହିରଖିଛି ଯେ ଏକ୍ସ ମବଗ୍ଦର ଦ୍ଭକ୍ଟ ୧୪/୨୦୨୧ରେ ଅର୍ଥାତ୍ ମାହାଙ୍ଗା ଡବଲ ମର୍ଡର
ଘଟଣାରେ ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଛି ବୋଲି ଯେଉଁ ଅଭିଯୋଗ ହେଉଛି ତାହାର ତଦନ୍ତ କରି ରିପୋର୍ଟ ଦେବାକୁ ଚଳିତବର୍ଷ ଅଗଷ୍ଟ ୨୫ ତାରିଖରେ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଲେ ଗତ ୨୫ ତାରିଖରେ ବାପି ବିଶ୍ୱାଳ, ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ପ୍ରଫୁଲ ବିଶ୍ୱାଳଙ୍କ ମୋବାଇଲ ଫୋନ ତଥ୍ୟ (ସିଡିଆର୍‌) ୨୯/୧୧/୨୦୨୧ ସୁଦ୍ଧା ଦାଖଲ କରିବା ପାଇଁ । କିନ୍ତୁ ଉକ୍ତ ତାରିଖରେ
ଥାନା ଅଧିକାରୀ ତଥା ମାହାଙ୍ଗା ଆଇଆଇସି ଅଦାଲତଙ୍କୁ ଏକ ମାସ ସମୟ ମାଗିଥିଲେ । ମାନ୍ୟବର ଅଦାଲତ ଗତ ୨ ତାରିଖରେ ମାହାଙ୍ଗା ଆଇଆଇସିଙ୍କୁ ସମସ୍ତ ତଥ୍ୟ ସହ ହାଜିରା ହେବା ପାଇଁ କହିଥିଲେ । କିନ୍ତୁ ମାହାଙ୍ଗା ଆଇଆଇସି ହାକିମଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ୍ କରିଥିଲେ । ଏହାପରେ ଗତ ୪ ତାରିଖରେ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପୂର୍ବ ନିର୍ଦ୍ଦେଶ ଅନୁସାରେ ଅପ-ଟୁଡେଟ୍ କେସ୍ ଡାଏରୀ ସହିତ ମୋବାଇଲ ଫୋନ ତଥ୍ୟ ସଂଗ୍ରହ ଓ ସଂରକ୍ଷଣ ପ୍ରସଙ୍ଗରେ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଆସନ୍ତା ୧୦ ତାରିଖ ଦିନ ୧୦ଟା ୩୦ ସୁଦ୍ଧା ସିଡିଆର ଏବଂ ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବା ପାଇଁ । କୋର୍ଟରେ ରିପୋର୍ଟ ଦାଖଲ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୋର୍ଟ କହିଛନ୍ତି ।
ମମିତା ମେହେର ମାମଲାରେ ଗୋଟେ କଥା କହୁଛ, ମାହାଙ୍ଗା ମର୍ଡର କେସ୍‌ରେ କୋର୍ଟ କହିବା ପରେ ବି ଗଳା ବାଟ ଦେଖୁଛ । କୋର୍ଟକୁ ତଥ୍ୟ ଦେଉନ ମାନେ – ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନାହିଁ ସଦୃଶ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ରାଜ୍ୟ ମୁଖପାତ୍ର ଠାକୁର୍ ରଞ୍ଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love