ପତ୍ନୀଙ୍କ ସହ ଯାତ୍ରା କରୁଥିଲେ ସିଡିଏସ ବିପିନ ରାଓ୍ଵତ, କେଉଁମାନେ ହେଲିକପ୍ଟରରେ ଥିଲେ ଜାଣନ୍ତୁ

ଚେନ୍ନାଇ ୦୮।୧୨: ତାମିଲନାଡୁର କୁନ୍ନୁରରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ଚିଫ ଅଫ ଡିଫେନ୍ସ ଷ୍ଟାଫ  ବିପିନ ରାଓ୍ଵତ ଯାତ୍ରା କରୁଥିଲେ। ବୁଧବାର ତାମିଲନାଡୁର ଯେଉଁ ଅଞ୍ଚଳ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ତାହା ସଂପୂର୍ଣ୍ଣ  ଜଙ୍ଗଲ ଇଲାକା। ହେଲିକପ୍ଟର କ୍ରାସ ହେବା ଆଖପାଖରେ ଧୂଆଁ ଉଠୁଛି।

ଏମଆଇ-୧୭ଭି୫ ହେଲିକପ୍ଟରରେ ସିଡିଏସ ବିପିନ ରାଓ୍ଵତ ସମେତ ୧୪ ଜଣ ଥିଲେ। ତେବେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। କିନ୍ତୁ ଏହାର ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ତେବେ ତିନି ଗୁରୁତର ଆହତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାରତୀୟ ବାୟୁସେନା ଟ୍ଵିଟ୍ କରି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ବିପିନ ରାଓ୍ଵତ ଜୀବିତ ଥିବା ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସିଡିଏସ ବିପିନ ରାଓ୍ଵତଙ୍କ ସହିତ ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତ ମଧ୍ୟ ଥିଲେ। ଏଥିରେ ଜଣେ ବ୍ରିଗେଡିୟର ସମେତ ଦୁଇ ପାଇଲଟ୍ ଏବଂ ଆଉ କିଛି ବରିଷ୍ଠ ଅଧିକାରୀ ମଧ୍ୟ ଥିଲେ। ଜାତୀୟ ଗଣମାଧ୍ୟମରେ ଯେଉଁ ତାଲିକା ସାମ୍ନାକୁ ଆସିଛି, ଉକ୍ତ ବ୍ୟକ୍ତିମାନେ ସିଡିଏସ ରାଓ୍ଵତଙ୍କ ସହିତ ବିମାନରେ ଥିଲେ। ମାତ୍ର ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଏଥିରୁ କେତେ ଜଣ ଲୋକ ଦୁର୍ଘଟଣା ସମୟରେ ହେଲିକପ୍ଟରରେ ଥିଲେ।

ହେଲିକପ୍ଟରରେ ଥିବା ବ୍ୟକ୍ତିଙ୍କ ତାଲିକା

ସିଡିଏସ ବିପିନ ରାଓ୍ଵତ

ଶ୍ରୀମତି ମଧୁଲିକା ରାଓ୍ଵତ(ବିପିନଙ୍କ ପତ୍ନୀ)

ବ୍ରିଗେଡିୟର ଏଲଏସ ଲିଡର

ଏସଓ ସିଡିଏସ ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂହ

ପିଏସଓ ଏନକେ ଗୁରୁସେବକ ସିଂହ

ପିଏସଓ ଏନକେ ଜିତେନ୍ଦ୍ର କୁମାର

ପିଏସଓ ବିବେକ କୁମାର

ପିଏସଓ ବି ସାଇ ତେଜା

ପିଏସଓ ହାଭ ସତପାଲ

ଏ ପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରୁ ତିନି ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ପ୍ରତିକୂଳ ପାଣିପାଗ କାରଣରୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ନିକଟସ୍ଥ ସେନା  ହସ୍ପିଟାଲ ଅଣାଯାଉଛି। ଆବଶ୍ୟକ ପଡିଲେ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇପାରେ।

Spread the love