ହେଲିକପ୍ଟର ଦୁର୍ଘଟଣା: ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ହୃଦୟ ବିଦାରକ ଦୃଶ୍ୟ-‘ହେଲିକପ୍ଟରରୁ ଲୋକଙ୍କୁ ପଡ଼ିବାର ଦେଖିଛି, ସେମାନଙ୍କ ଦେହରେ ନିଆଁ ଲାଗିଥିଲା’

ନୂଆଦିଲ୍ଲୀ ୦୮/୧୨ : ଦେଶର ପ୍ରତିରକ୍ଷା ମୁଖ୍ୟ ବିପିନ ରାବତ ଓ ୧୩ ଜଣଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାର ହୃଦୟ ବିଦାରକ ଘଟଣାକୁ କିଛି ଲୋକେ ନିଜ ଆଖିରେ ଦେଖିଛନ୍ତି। ବୁଧବାର ଅପରାହ୍ନରେ ତାମିଲନାଡୁ କୁନ୍ନୁରର କଟ୍ଟେରି ପାର୍କ ଅଞ୍ଚଳରେ ଦୁର୍ଘଟଣା ହୋଇଛି। ସେତେବେଳେ ସେଠାରେ ଉପସ୍ଥିତ ଜଣେ ପ୍ରତ୍ୟକ୍ଷଦର୍ଶୀ ଭୀଷଣ ଶବ୍ଦ ଶୁଣିଥିଲେ। କିଛି କ୍ଷଣରେ ହେଲିକପ୍ଟରକୁ ଆକାଶରୁ ଭୂଇଁରେ ପଡିବ ଦେଖିଲେ। ହେଲିକେପ୍ଟରରେ ନିଆଁ ଲାଗିଥିଲା। ସେହି ନିଆଁ ଭିତରୁ ୪ ଜଣ ହେଲିକପ୍ଟରରୁ ତଳେ ପଡୁଥିଲେ। ସେମାନଙ୍କ ଦେହରେ ବି ନିଆଁ ଲାଗିଥିଲା।

ସିଡିଏସ ବିପିନ ରାବତ ଉଟି ନିକଟରେ ୱେଲିଂଟନ୍ ଡିଫେନ୍ସ ସର୍ଭିସ୍ ଷ୍ଟାଫ୍ କଲେଜକୁ ଏକ ବକ୍ତୃତା ଦେବାକୁ ଯାଉଥିଲେ। ହେଲିକପ୍ଟର ସୁଲୁର ଏୟାରବେସରୁ ୱେଲିଂଟନ୍ ଯାଉଥିଲା। ଠିକ ସେତେବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଅପରାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଦୁର୍ଘଟଣା ହେଉଥିବା ଦେଖି ନାନଜପ୍ପନଚଥିରାମ ଅଞ୍ଚଳରେ ରହୁଥିବା କୁମାର ନାମକ ଜଣେ ଯୁବକ ପୋଲିସ ଓ ଦମକଳ ଅଧିକାରୀଙ୍କୁ ଫୋନ କରିଥିଲେ।

ଦ ନ୍ୟୁଜ ମିନିଟ୍ସ ରିପୋର୍ଟ ଅନୁଯାୟୀ, ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ କୃଷ୍ଣସ୍ୱାମୀ କହିଛନ୍ତି ଯେ, ସେ ହେଲିକପ୍ଟରକୁ ତଳେ ପଡୁଥିବାବେଳେ ଦେଖିଛନ୍ତି। ସେତେବେଳେ ଭୟଙ୍କର ଶବ୍ଦ ଶୁଭାଯାଇଥିଲା। ହେଲିକପ୍ଟର ଗୋଟିଏ ଗଛ ସହ ପିଟି ହୋଇଥିଲା ଓ ସେଥିରେ ନିଆଁ ଲାଗିଯାଇଥିଲା। ତଳେ ପଡିବ ପୂର୍ବରୁ ଏକ ବଡ ଗଛ ସହ ଧକ୍କା ହୋଇଥିଲା। କୃଷ୍ଣସ୍ୱାମୀଙ୍କ ଘର ଘଟଣାସ୍ଥଳରୁ ପ୍ରାୟ ୧୦୦ ମିଟର ଦୂରରେ ଅଛି।

ଘଟଣାସ୍ଥଳରେ ପ୍ରଥମେ ସ୍ଥାନୀୟ ଲୋକେ ପହଞ୍ଚିଥିଲେ। ଲୋକେ ବାଲ୍ଟିରେ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଲୋକେ କମ୍ବଳ ଓ ରେଜେଇ ସାହାଯ୍ୟରେ ଲୋକଙ୍କ ଦେହରେ ଲାଗିଥିବା ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। କମ୍ବଳ ଚାଦରକୁ ଷ୍ଟ୍ରେଚର କରାଗଲା। ଏହାପରେ ଆହତଙ୍କୁ ବାହାର କରାଯାଇଥିଲା।

ସୂଚନା ପାଇବା କ୍ଷଣି ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଆହତଙ୍କୁ ଉଦ୍ଧାର କରିଥିଲେ। ହେଲିକପ୍ଟର ଖଣ୍ଡ ଖଣ୍ଡ ହୋଇ ଚାରିଆଡେ ପଡିଥିଲା। ହେଲିକପ୍ଟରରୁ ନିଆଁ ଓ ଧୂଆଁ ବାହାରୁଥାଏ। ଆହତଙ୍କୁ ସେନା ହସ୍ପିଟାଲ ନିଆଯାଇଥିଲା।

Spread the love