ପତ୍ନୀଙ୍କ ସହ ପରଲୋକରେ ସିଡିଏସ ବିପିନ ରାଓ୍ଵତ, ୧୪ ମଧ୍ୟରୁ ଚାଲିଗଲା ୧୩ ଜଣଙ୍କ ଜୀବନ

ଚେନ୍ନାଇ ୦୮।୧୨: ଆଉ ଇହ ଜଗତରେ ନାହାନ୍ତି ଦେଶର ପ୍ରଥମ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାଓ୍ଵତ। ତାମିଲନାଡୁର କୁନ୍ନୁରରେ ବୁଧବାର ସକାଳେ ଘଟିଥିବା  ହେଲିକପ୍ଟର ଦୁର୍ଘଟଣାରେ ସେ, ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତଙ୍କ ସହିତ ୧୧ ଅନ୍ୟ ଅଧିକାରୀ ଓ ସହଯୋଗୀଙ୍କ ମୃତ୍ୟୁ ଘଟିଛି। ଭାରତୀୟ ବାୟୁସେନା ଆନୁଷ୍ଠାନିକ  ଭାବେ ଏହାର ସୂଚନା ଦେଇଛି। ଦୁର୍ଘଟଣାରେ ଏକ ମାତ୍ର ବଞ୍ଚିଥିବା ବ୍ୟକ୍ତି ହେଉଛନ୍ତି ବାୟୁସେନାର ଗ୍ରୁପ କ୍ୟାପଟେନ୍  ବରୁଣ ସିଂହ। ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି।

ଜେନେରାଲ ବିପିନ ରାଓ୍ଵତଙ୍କୁ ନେଇ ଯାଉଥିବା  ଭାରତୀୟ  ବାୟୁସେନାର ଏକ ହେଲିକପ୍ଟର  ବୁଧବାର ତାମିଲନାଡୁର କୁନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘନ କୁହୁଡି ଓ ଖରାପ ପାଣିପାଗ କାରଣରୁ  ବାୟୁସେନାର ଏମଆଇ-୧୭ ଭିଏଚ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦିଆଯାଇଛି। ହେଲିକପ୍ଟରଟି କୋଏମ୍ବାଟୁରର ନିକଟ ସୁଲୁର ବାୟୁସେନାର ଆଡ୍ଡାରୁ ଉଡାଣ  ଭରିଥିଲା।

ହେଲିକପ୍ଟର ଖସିବା ସମୟରେ ସେଥିରେ ନିଆଁ ଲାଗି ଯାଇଥିଲା। ହେଲିକପ୍ଟରଟି ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇ ପାଉଁଶ ହୋଇ ଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ଅଧିକାରୀ ହେଉଛନ୍ତି ବ୍ରିଗେଡିୟର ଏଲଏସ ଲିଡର  ସିଡିଏସଙ୍କ ଏସଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂହ, ସିଡିଏସଙ୍କ ପିଏସଓ ଏନକେ ଗୁରୁସେବକ ସିଂହ, ପିଏସଓ ଏନକେ ଜିତେନ୍ଦ୍ର କୁମାର, ପିଏସଓ ବିବେକ କୁମାର, ପିଏସଓ ବି ସାଇ ତେଜା, ପିଏସଓ ହାଭ ସତପାଲ ସାମିଲ୍।

Spread the love