ହେଲିକପ୍ଟର ଦୁର୍ଘଟଣାରୁ ବର୍ତ୍ତିଗଲେ ଶୌର୍ଯ୍ୟଚକ୍ର ବିଜେତା କ୍ୟାପଟେନ୍ ବରୁଣ ସିଂହ, ଜାରି ରହିଛି ଚିକିତ୍ସା

ନୂଆଦିଲ୍ଲୀ ୦୮।୧୨: ତାମିଲନାଡୁର କୁନ୍ନୁରରେ ବୁଧବାର ସେନାର  ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ସିଡିଏସ ବିପିନ ରାଓ୍ଵତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ହେଲିକପ୍ଟର ଦୁର୍ଘଟଣା କାରଣ ଜାଣିବା ପାଇଁ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦିଆଯାଇଛି। ତେବେ ଦୁର୍ଘଟଣାରେ କେବଳ ଜଣେ ସୈନ୍ୟ ଅଧିକାରୀଙ୍କ ଜୀବନ ବଞ୍ଚି ଯାଇଛି। ସେ ହେଉଛନ୍ତି କ୍ୟାପଟେନ୍ ବରୁଣ ସିଂହ। ଗୁରୁତର ଅବସ୍ଥାରେ ହସ୍ପିଟାଲାରେ ତାଙ୍କର ଚିକିତ୍ସା ଜାରି ରହିଛି। କ୍ୟାପଟେନ୍ ବରୁଣ ସିଂହ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ ହୋଇଛନ୍ତି।

ଭାରତୀୟ ବାୟୁସେନା ବୁଧବାର କୁନ୍ନୁର  ବିମାନ ଦୁର୍ଘଟଣାର ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର  କରିଛି। ସେନା ଅନୁଯାୟୀ,  ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଛନ୍ତି। ସେନା ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ମାତ୍ର ବ୍ୟକ୍ତି ଭାବେ ବରୁଣ ମୃତ୍ୟୁକୁ ମାତ୍ ଦେବାରେ ସଫଳ ହୋଇଛନ୍ତି।

ସେନା ଅନୁଯାୟୀ, ଚଳିତ ବର୍ଷ ସ୍ଵାଧୀନତା ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ଵାରା ତାଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ୨୦୨୦ରେ ଏକ ବିମାନ ଦୁର୍ଘଟଣାରେ ଜରୁରୀକାଳୀନ ସମୟରେ ନିଜର ତେଜସ ଲଢୁଆ ବିମାନକୁ ବଞ୍ଚାଇବା ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।

ଉଲ୍ଲେଖନୀୟ ଜେନେରାଲ ବିପିନ ରାଓ୍ଵତଙ୍କୁ ନେଇ ଯାଉଥିବା  ଭାରତୀୟ  ବାୟୁସେନାର ଏକ ହେଲିକପ୍ଟର  ବୁଧବାର ତାମିଲନାଡୁର କୁନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘନ କୁହୁଡି ଓ ଖରାପ ପାଣିପାଗ କାରଣରୁ  ବାୟୁସେନାର ଏମଆଇ-୧୭ ଭିଏଚ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦିଆଯାଇଛି। ହେଲିକପ୍ଟରଟି କୋଏମ୍ବାଟୁରର ନିକଟ ସୁଲୁର ବାୟୁସେନାର ଆଡ୍ଡାରୁ ଉଡାଣ  ଭରିଥିଲା।

ହେଲିକପ୍ଟର ଖସିବା ସମୟରେ ସେଥିରେ ନିଆଁ ଲାଗି ଯାଇଥିଲା। ହେଲିକପ୍ଟରଟି ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇ ପାଉଁଶ ହୋଇ ଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ଅଧିକାରୀ ହେଉଛନ୍ତି ବ୍ରିଗେଡିୟର ଏଲଏସ ଲିଡର  ସିଡିଏସଙ୍କ ଏସଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂହ, ସିଡିଏସଙ୍କ ପିଏସଓ ଏନକେ ଗୁରୁସେବକ ସିଂହ, ପିଏସଓ ଏନକେ ଜିତେନ୍ଦ୍ର କୁମାର, ପିଏସଓ ବିବେକ କୁମାର, ପିଏସଓ ବି ସାଇ ତେଜା, ପିଏସଓ ହାଭ ସତପାଲ ସାମିଲ୍।

Spread the love