ପୋଲିସର ଏଭଳି କ୍ରୁର ବ୍ୟବହାର କାହିିଁକି ? ସମୀର ମହାନ୍ତି

ଭୁବନେଶ୍ୱର : ଗଣତନ୍ତ୍ରରେ ବିରୋଧ କରିବା ପାଇଁ ସମସ୍ତଙ୍କର ଅଧିକାର ରହିଛି । ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତିକୁ ନେଇ ଭାରତୀୟ ଜନତା ପାର୍ଟୀ ତରଫରୁ ଦୀର୍ଘ ୨ମାସରୁ ଉଦ୍ଦ୍ୱର୍ ସମୟ ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି। ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ମୁଖ୍ୟ ଷଡଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ସିବିଆଇ ଦ୍ୱାରା ତଦନ୍ତ ଦାବୀରେ ଆଜି ଯୁବମୋର୍ଚ୍ଚା ତରଫରୁ ବିଧାନସଭା ଘେରାଓ ହୋଇଥିଲା । ପୋଲିସର ଦାୟିତ୍ୱ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା । କିନ୍ତୁ ତାହା ନକରି ଶାସକ ବିଜେଡିର ହାତବାରିସୀ ସାଜି ପୋଲିସ ବିରୋଧୀଙ୍କୁ ମାଡ ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୂର୍ବରୁ ପ୍ରସ୍ତୁତ ଥିବା ପୋଲିସ ଶୋଭାଯାତ୍ରାକୁ ବଳପ୍ରୟୋଗ କରି ଅଟକାଇଥିଲେ । ପୋଲିସର ମାତ୍ରାଧିକ ବଳପ୍ରୟୋଗ କାରଣରୁ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜିର ବିକ୍ଷୋଭ ସମୟରେ ଯୁବମୋର୍ଚ୍ଚା ଓ ଦଳୀୟ କର୍ମୀଙ୍କୁ ପୋଲିସ ଭୟଙ୍କର ମାଡ ମାରିବା କାରଣରୁ ଶତାଧିକ ଯୁବ ଓ ମହିଳା କାର୍ଯ୍ୟକର୍ତା ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ଶାସକ ଦଳର
ହାତବାରିସୀ ସାଜି ହିଂସାତ୍ମକ ହୋଇଯାଇଛି । ଆହତ ସମସ୍ତ କାର୍ଯ୍ୟକର୍ତା ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୋଲିସ୍ କର୍ମୀଙ୍କ ଦ୍ୱାରା ଟେକା, ପଥର ଓ ଗୋଇଠା ମାଡରେ ବହୁ କାର୍ଯ୍ୟକର୍ତାଙ୍କ ହାତ, ଗୋଡ, ମୁଣ୍ଡ କ୍ଷତାକ୍ତ ହୋଇଛି । ପୋଲିସରେ ଏଭଳି କ୍ରୁର ବ୍ୟବହାର କାହିଁକି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି । ଭାରତୀୟ ଜନତାପାର୍ଟି କେବେ ହିଂସାତ୍ମକ ଆଚରଣ କରିନାହିଁ । ଓଡିଆ ଜାତି ସବୁ ସହିଛି ହେଲେ ମାଁ ଓ ଭଉଣୀଙ୍କ ବେଇଜ୍ଜତ କେବେ ସହ୍ୟ କରି ନାହିଁ । ପୋଲିସର ଆଜିର ବ୍ୟବହାର ଆମକୁ ମର୍ମାହତ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ବିଧାନସଭା ଘେରାଓ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପୋଲିସ ମାଡରେ ଗୁରୁତର ଭାବେ ଆହତ ହୋଇ ଡାକ୍ତରକାନାରେ ଚିକିତ୍ସିତ ହେଉଥିବା ଯୁବ ଓ ମହିଳା କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ମୁକେଶ ମହାଲିଙ୍ଗ, ନାଉରୀ ନାଏକ ପ୍ରମୁଖ ଅନ୍ୟ ନେତୃବୃନ୍ଦଙ୍କ ସହ କ୍ୟାପିଟାଲ ହସପିଟାଲ ଯାଇ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ପ୍ରମୁଖ ଦିଲୀପ ମଲ୍ଲିକ, ଯୁବମୋର୍ଚ୍ଚା ରାଜ୍ୟ ସବାପତି ଇରାସିସ ଆଚାର୍ଯ୍ୟ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

 

Spread the love