ଦୁକୁ ଦୁକୁ ହୋଇ ଚାଲିଛି ବିଧାନସଭା, ଗୃହ ପ୍ରତି ହେଉଛି ଅବମାନନା : ବିଷ୍ଣୁ ସେଠୀ

ଭୁବନେଶ୍ବର ୧୦।୧୨: ଡାଇରିଆ ରୋଗୀ ଯେମିତି ଡାକ୍ତରଖାନାରେ ଦୁକୁ ଦୁକୁ ହୁଏ ଓଡ଼ିଶା ବିଧାନସଭା ସେମିତି ଚାଲିଛି । ୫ ମିନିଟ, ୭ ମିନିଟ କେତେବେଳେ ମରିବ ତାହା ଠିକ୍ ନାହିଁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି । ଗଣତାନ୍ତ୍ରିକ ପଦ୍ଧତିରେ ବାଚସ୍ପତି ୫ ଦିନ ପରେ ସର୍ବଦଳୀୟ ବୈଠକ ଡାକିଲେ । ନିଷ୍ପତ୍ତି ହୋଇପାରେ ନ ହୋଇପାରେ । କିନ୍ତୁ ବାଚସ୍ପତିଙ୍କର ନିୟମ, ସରକାରୀ ଦଳର ନିୟମ, ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ବ ଗୃହ କେମିତି ଚାଲିବ । ମାତ୍ର ଗୃହ ପ୍ରତି ଅବମାନନା କରାଯାଉଛି ।

ବିଜୁ ଜନତା ଦଳର ପ୍ରତିନିଧିମାନେ ଯେଉଁ ଭଳି କଥା କହୁଛନ୍ତି ଲାଗୁଛି ଯେମିତି ସ୍ଵର୍ଗରୁ ଦେବଦୂତମାନେ ଆସିଛନ୍ତି । ଯେତେବେଳେ ମଣିଷର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବ, ମଣିଷର ନିରାପତ୍ତା ବିପନ୍ନ ହେବ, ମା’ର ସମ୍ନାନ ରହିବନାହିଁ ସେତେବେଳେ ଲୋକେ ପ୍ରତିବାଦ କରିବେ । ଭାରତୀୟ ଜନତା ପାର୍ଟି ବିଜେଡି ଭଳି ନୁହେଁ ଯେ କ୍ଷମତାରେ ପ୍ରମତ ହୋଇ ଗାନ୍ଧୀଙ୍କ ଅହିଂସା କଥା କହି ସବୁବେଳେ ହତ୍ୟାକାଣ୍ଡ କରି ହିଂସା ଭିଆଇବ । ମା’ଙ୍କୁ ସମ୍ମାନ ନାଁରେ ଏମାନେ ମହିଳାମାନଙ୍କୁ କାଟିକୁଟି ଜେସିବି ଆଣି ପୋତି ଦେଉଛନ୍ତି । ପୁଣି କହୁଛନ୍ତି ମା’କୁ ସମ୍ମାନ ।

କୁନ୍ଦୁଲି, ବେବିନା, ସ୍ମିତାରାଣୀ ଭଳି କେସରେ ଜଣେ ଦଣ୍ଡିତ ହେଲା କି ? ଯେଉଁମାନେ ଏଠି ଚଣ୍ଡାଳ ପ୍ରବୃତ୍ତିର ରାଜନୈତିକ ଲୋକ ଅଛନ୍ତି ସେମାନେ ଚାହାନ୍ତି କ୍ଷମତାରେ ପ୍ରମତ ହୋଇ ରହିବେ । ଯେମିତି ଦିନେ ଦୁର୍ଯ୍ୟୋଧନ, ଦୁଃଶାସନ, ରାବଣ, କୁମ୍ଭକର୍ଣ୍ଣ ରହୁଥିଲେ ଆଜି ଓଡ଼ିଶାରେ ତାହାର ପୁନରାବୃତ୍ତି ହେଲା ଭଳି ଲାଗୁଛି ବୋଲି ବିଷ୍ଣୁ କହିଛନ୍ତି ।

Spread the love