ବିଧାନସଭା ଶୀତ ଅଧିବେଶନ ଅଧାରୁ ବନ୍ଦ ପ୍ରସଙ୍ଗ : ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି ଟିମ୍

ଭୁବନେଶ୍ବର ୧୧।୧୨: ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ନେତୃତ୍ବରେ ଭେଟିଲା ଟିମ୍ । ବିଧାନସଭା ଅଧାରୁ ବନ୍ଦ ପ୍ରସଙ୍ଗ ନେଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛି ବିଜେପି । ପ୍ରାୟ ୧୦ ଦିନ ଧରି ଅସ୍ବାଭାବିକ ଭାବେ ଚାଲିବା ପରେ ହଠାତ ଗୃହକୁ ବନ୍ଦ କରିବା ପ୍ରତିବାଦରେ ଫେରାଦ ହୋଇଛନ୍ତି । ରାଜ୍ୟବାସୀଙ୍କ ସ୍ଵାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ନ ଦେବା ।

ବାଚସ୍ପତି ଷୋଡଶ ବିଧାନସଭାର ସମସ୍ତ ୮ଟି ଅଧିବେଶନକୁ ସ୍ଥିରୀକୃତ ଧାର୍ଯ୍ୟ ଦିବସ ପୂର୍ବରୁ ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ଭାବରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରୁଥିବା ନେଇ ଅଭିଯୋଗ କରିଛନ୍ତି । ୩ ବର୍ଷ ହେଲା ଗୃହ ଚାଲୁନାହିଁ, ୨ ବର୍ଷ ହେଲା ଗୃହର ନେତା ଗୃହକୁ ଆସୁନାହାନ୍ତି । ମମିତା  ମେହେର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇ ରଖୁଛନ୍ତି । ଆଜି ଆମେ ପୁରୀ ଯିବୁ ଏବଂ ଜଗନ୍ନାଥଙ୍କ ପାଖରେ ଅଧିଆ ପଡିବୁ । ରାଜ୍ୟକୁ ରକ୍ଷା କର ମୁଖ୍ୟମନ୍ତ୍ରୀଙ୍କୁ ସଦବୁଦ୍ଧି ଦିଅ । ସାଢେ ୪ କୋଟି ଓଡିଆଙ୍କୁ ସୁରକ୍ଷା ଦିଅ ବିଶେଷ କରି ମା’ମାନଙ୍କୁ ସୁରକ୍ଷା ଦିଅ ବୋଲି ଗୁହାରି କରିବୁ । ଏବେ ଜଗନ୍ନାଥଙ୍କ ଛଡା ଆଉ କେହି ନାହାନ୍ତି ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ହୋଇଛି । ମମିତା ଝଡ଼ରେ ଧୋଇଗଲା ଶୀତ କାଳୀନ ଅଧିବେଶନ । ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି । ହାଉସର କୌଣସି ବିଜନେସ ନଥିବାରୁ ଏବଂ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବାକୁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ।

ସେପଟେ ଏହି ସମୟରେ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିଲେ । ତେବେ ଏହି ୯ ଦିନରେ ପ୍ରାୟ ୨ ଘଣ୍ଟା ବି ଠିକ୍ ଭାବେ ଚାଲିପାରିଲାନି ଗୃହ । କଂଗ୍ରେସ ଓ ବିଜେପିର ଅଭିନବ ପ୍ରତିବାଦ ଦେଖିବାକୁ ମିଳିଥିଲା । ମମିତା ମେହେର ହତ୍ୟାକାଣ୍ଡକୁ ନେଇ ହୁଲସ୍ତୁଲ ହୋଇଥିଲା ବିଧାନସଭା । କଂଗ୍ରେସ ପ୍ରଥମ ଦିନରୁ ବିଧାନସଭାରେ ତାଲା ପକାଇ ପ୍ରତିବାଦକୁ ଜୋରଦାର କରିଥିଲା । ବିଜେପି ମଧ୍ୟ ଗଙ୍ଗା ଜଳ ଓ ଗୋବର ପାଣି ଛିଞ୍ଚି ପ୍ରତିବାଦ କରିଥିଲା । ଶାସକ ଦଳ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲ । ଏପରିକି କି ଗୋଟିଏ ଦିନ ବି ପ୍ରଶ୍ନକାଳ ଚାଲି ପାରିନଥିବା ବେଳେ ଗୋଟିଏ ବି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇପାରିନି ।

Spread the love