ଆସାମରୁ ମିଳିଲା ମାରାଡୋନାଙ୍କ ଚୋରି ଘଣ୍ଟା

ନୂଆଦିଲ୍ଲୀ,୧୨/୧୨: ଆସାମରୁ ମିଳିଲା ମାରାଡୋନାଙ୍କ ୨୦ ଲକ୍ଷରୁ ଅଧିକ ଟଙ୍କାର ଚୋରି ଘଣ୍ଟା। ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏହି ଘଣ୍ଟାକୁ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି। ଏହି ଦୁଇ ଦେଶର ପୋଲିସ ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କ ଘଣ୍ଟା ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ଏହି ମୂଲ୍ୟବାନ ଘଣ୍ଟାକୁ ମଧ୍ୟ ଜବତ କରିଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଆସାମ ପୋଲିସ ଡିଜିପି ଭାସ୍କର ଜ୍ୟୋତି ମହନ୍ତ ଦୁବାଇ ପୋଲିସ ସହ ମିଶି ହୋଇଥିବା ଏହି ମିଶନର ସୂଚନା ଦେଇଛନ୍ତି । ଆସାମର ଶିବସାଗର ଜିଲ୍ଲା ଅଞ୍ଚଳରୁ ମାରାଡୋନାଙ୍କ ଏହି ୨୦ ଲକ୍ଷ ମୂଲ୍ୟର ଘଣ୍ଟା ଉଦ୍ଧାର କରାଯାଇଛି ଏବଂ ଯେଉଁ ବ୍ୟକ୍ତିଙ୍କ ପାଖରୁ ଏହି ଘଣ୍ଟା ଜବତ ହୋଇଛି ସେହି ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ଓ୍ୱାଜିଦ୍ ହୁସେନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଡିଏଗୋ ମାରାଡୋନାଙ୍କ Hublot କମ୍ପାନୀର ଲିମିଟେଡ ଏଡିସନର ଏହି ଘଣ୍ଟାକୁ ଜବତ କରାଯାଇଛି। ଗିରଫ ହୋଇଥିବା ଓ୍ୱାଜିଦ୍ ହୁସେନ ଦୁବାଇରେ କାମ କରୁଥିଲେ। ସେ ଅଗଷ୍ଟ ୨୦୨୧ରେ ଦୁବାଇରୁ ଭାରତ ଫେରି ଆସିଥିଲେ ବୋଲି ପୋଲିସ କହିଛି ।

Spread the love