ସୋମବାର ମୋଦିଙ୍କ କାଶୀ ଯାତ୍ରା

ବାରାଣାସୀ ୧୨/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାଶୀ ଯାତ୍ରା ଏଥର ଐତିହାସିକ ହେବାକୁ ଯାଉଛି। ଡିସେମ୍ବର ୧୩ ତାରିଖ, ସୋମବାର ଦିନ ମୋଦି କାଶୀ ବିଶ୍ୱନାଥ ଧାମ ଲୋକାର୍ପଣ କରିବେ। ଏଥିପାଇଁ ଘାଟ, ଗଳିକନ୍ଦି ଓ ମନ୍ଦିରକୁ ରଙ୍ଗବେରଙ୍ଗ ଫୁଲ ଓ ଲାଇଟରେ ସଜାଯାଇଛି। ଘରେ ଘରେ ମିଠା ବଣ୍ଟା ଯାଉଛି। କାଶୀର କିଛି ଶିଳ୍ପୀ ଓ ବୁଣାକାର ମୋଦିଙ୍କ ପାଇଁ ସ୍ୱତନ୍ତ୍ର ଉପହାର ପ୍ରସ୍ତୁତ କରିଛନ୍ତି। କାରିଗରଙ୍କ ତରଫରୁ ଯୋଗୀ ଆଦିତ୍ୟନାଥ ଏହି ଉପହାର ମୋଦିଙ୍କୁ ଦେବେ।

ଏଥର ମୋଦି ଅଲଗା ଅଲଗା କ୍ରୁଜରେ ଦୁଇଥର ଗଙ୍ଗା ଯାତ୍ରା କରିବେ। ଥରେ ଅଲକନନ୍ଦା କ୍ରୁଜରେ ଓ ଦ୍ୱିତୀୟଥର ରୋରୋ କ୍ରୁଜରେ ଗଙ୍ଗା ଯାତ୍ରା କରିବେ। ମୋଦି ହିଁ କାଶୀକୁ କ୍ରୁଜ ସହ ରୋରୋ ଉପହାର ଦେଇଥିଲେ। ସେହି ଉପହାରରେ ସେ ଗଙ୍ଗା ଆଳତୀ ଦର୍ଶନ କରିବେ।

ପ୍ରଥମ ଉପହାର ତ୍ରିଶୂଳ – ମେଟାଲ ରିପୋଜି କ୍ରାଫ୍ଟରେ ପ୍ରଥମ ଉପହାର ପ୍ରସ୍ତୁତ କରାଯାଇଛି। ଏହାକୁ ବିଜୟ କଶେରା, ଅନିଲ କୁମାର ଓ ରମେଶ କୁମାର ପ୍ରସ୍ତୁତ କରିଛନ୍ତି। ଏହି ୩ କାରିଗର ଶିବମ କେଶରୀଙ୍କ ସହ ମିଶି କେଦାରନାଥରେ ମଧ୍ୟ ରିପୋଜି କ୍ରାଫ୍ଟ ପ୍ରଦର୍ଶନ କରିଛନ୍ତି।

ଦ୍ୱିତୀୟ ଉପହାର ଅଙ୍ଗବସ୍ତ୍ରମ – ଲଲ୍ଲାପୁରାର ମୁମତାଜ ଅଲି ଜରଦୋଜିରେ ରୁଦ୍ରାକ୍ଷ ବୁଣି ରେଶମ ଓ ଜରି ସୁତାରେ କାଶୀ ବିଶ୍ୱନାଥ ଧାମ ଲେଖା ହୋଇଥିବା ଅଙ୍ଗବସ୍ତ୍ରମ ପ୍ରସ୍ତୁତ କରିଛନ୍ତି। ମୋଦି ଗଙ୍ଗା ଦେଇ ଭଗବାନ ଶିବଙ୍କ ଧାମରେ ପହଞ୍ଚିବେ। ଏହି ଅଙ୍ଗବସ୍ତ୍ର ତାଙ୍କର ଶୋଭା ବଢାଇବ।

ତୃତୀୟ ଉପହାର ପଦ୍ମ – ରାମକଟୋରା ବାସିନ୍ଦା ଚନ୍ଦ୍ରପ୍ରକାଶ ବିଶ୍ୱକର୍ମା କାଠରେ ଖାସ ପ୍ରକାର ପଦ୍ମ ତିରି କରିଛନ୍ତି। ପଦ୍ମ ଭିତରେ ଶିବଲିଙ୍ଗ ସ୍ଥାପିତ ଅଛି। ତଳେ ଏକ ବଟମ ଅଛି ଯାହାକୁ ଚିପିଲେ ପଦ୍ମ ପାଖୁଡା ଖୋଲିବ ଓ ଶିବଲିଙ୍ଗ ଦେଖାଯିବ। ଜିଆଇ ବିଶେଷଜ୍ଞ ପଦ୍ମଶ୍ରୀ ରଜନୀକାନ୍ତ କହିଛନ୍ତି ଯେ ୩ଟି ଉପହାର ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହସ୍ତାନ୍ତର କରାଯିବ। ମୋଦିଙ୍କ କାଶୀ ଆଗମନରେ ଯୋଗୀ ଏହା ମୋଦିଙ୍କୁ ଦେବେ।

ପୂଜା ପରେ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ଆୟୋଜନ କରାଯାଇଛି। ଭୋଜନରେ ଗୁଜୁରାତି ଓ ବନାରସୀ ବ୍ୟଞ୍ଜନ ରହିବ। ରାତ୍ରି ଭୋଜନ ସମୟରେ ମୋଦିଙ୍କ ସହ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନିଜ ନିଜ ପରିବାର ସହ ଉପସ୍ଥିତ ରହିବେ। ମୋଦିଙ୍କ ପାଇଁ ସ୍ପେଶାଲ ଗୁଜୁରାତି ଖେଚୁଡ଼ି ଓ କଢି, ବନାରସୀ କଚୋରି ଚାଟ ପ୍ରସ୍ତୁତ କରାଯିବ।

Spread the love