ରାହୁଲଙ୍କ ଭାଷଣରେ ତାଳି ବଜେଇଲେ, କିଛି ନ କହି ଫେରିଲେ ସୋନିଆ, ଜୟପୁର ଜନସଭାରୁ ଜାଣନ୍ତୁ କ’ଣ ବାର୍ତ୍ତା ଦେଇଛି କଂଗ୍ରେସ୍

ଜୟପୁର ୧୨।୧୨:  ଦର ବୃଦ୍ଧି ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ରାଜସ୍ଥାନ କଂଗ୍ରେସ ପକ୍ଷରୁ ରବିବାର ରଜଧାନୀ ଜୟପୁରରେ ‘ମହଙ୍ଗାଇ ହଟାଓ ରାଲି’ ଅନୁଷ୍ଠିତ ହୋଇଯାଇଛି। ଏହି ଜନସମାବେଶରେ ରାହୁଲଙ୍କ ସହ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ମଧ୍ୟ ଯୋଗ ଦେଇଥିଲେ। ସଭାକୁ ରାହୁଲ ସମ୍ବୋଧନ କରୁଥିବା ବେଳେ ମଞ୍ଚରେ ସୋନିଆଙ୍କୁ ତାଳି ବଜାଉଥିବାର ଦେଖା ଯାଇଛି। ତେବେ ଜନସଭାକୁ ସୋନିଆ ସମ୍ବୋଧିତ କରିବା ଦୂରର କଥା ସମର୍ଥକ ସହ  କଥା ମଧ୍ୟ ହୋଇ ନାହାନ୍ତି ସୋନିଆ। ଯାହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ସୋନିଆ ଦୀର୍ଘ ସମୟରୁ କଂଗ୍ରେସର ଡୋରୀ ସମ୍ଭାଳିଆସୁଛନ୍ତି. ତେବେ ରାଜସ୍ଥାନରେ ତାଙ୍କର ନିରବତା ହିଁ ଦଳର ଆଗାମୀ ରଣନୀତିକୁ ସ୍ପଷ୍ଟ କରୁଥିବା ଅଭିଜ୍ଞ ରାଜନେତାମାନେ ଏବେ କହୁଛନ୍ତି। ହୁଏତା ସୋନିଆ ଏହା ଜଣାଇ ଦେବାକୁ ଏହି ରାଲିକୁ ଆସିଥିବାରେ ସେମାନେ ଏବେ ଆକଳନ କରୁଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧି ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଅଧ୍ୟକ୍ଷ ପଦ ପୂରଣ ଲାଗି ଦଳରେ ଉଦ୍ୟମ କରାଯାଇ ନଥିବା ବେଳେ ସୋନିଆ କାର୍ଯ୍ୟକାରୀ ସଭାପତି ଭାବେ ପଦକୁ ଜାବୁଡି ଧରିଛନ୍ତି। ଦଳରେ ସଭାପତି ନିର୍ବାଚନ ଲାଗି ଦାବି ହେଉଥିଲେ ବି ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏହାକୁ ଟାଳି ଦିଆଯାଇଛି।

ତେବେ ପାର୍ଟି ସୂତ୍ରରୁ ମିଳୁଥିବା ସୂଚନାରୁ ହୁଏତ ରାହୁଲ ପାର୍ଟିର ଅଧ୍ୟକ୍ଷ ନାହାନ୍ତି, ହେଲେ ପାର୍ଟି ସମ୍ପର୍କିତ ସମସ୍ତ ବଡ଼ ନିଷ୍ପତ୍ତି ସେ ନେଉଛନ୍ତି। ଏହା ଉଦାହରଣ ଭାବେ ଏବେ ପଞ୍ଜାବକୁ ନିଆଯାଇପାରେ। ଏଠାରେ କଂଗ୍ରେସ ମଙ୍ଗସମ୍ଭାଳିଥିବା କ୍ୟାପ୍ଟେନ ଅମରିନ୍ଦର ସିଂହ ସୋନିଆଙ୍କ ଅତ୍ୟନ୍ତ ବିଶ୍ୱାସପାତ୍ର ଥିଲେ। ତେବେ ରାହୁଲ ଓ ପ୍ରିୟଙ୍କା ପ୍ରଦେଶ କଂଗ୍ରେସ ସମସ୍ୟାର ସମାଧାନ କରି ଚନ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଓ ନଭଜ୍ୟୋତ ସିଂହ ସିଦ୍ଧୁଙ୍କ ହାତରେ ଦଳର ଦାୟିତ୍ୱ ସମର୍ପିଥିବା ବେଳେ କ୍ୟାପ୍ଟେନଙ୍କୁ ଦଳରୁ ବାହାରକୁ ରାସ୍ତା ଦେଖା ଦେଇଛନ୍ତି।

ରବିବାର ଜୟପୁରରେ ମଧ୍ୟ ସେଇଆ ଦେଖା ଯାଇଛି। ଏଠାରେ ସୋନିଆଙ୍କୁ ଟିମ୍‌ର କୋଚ୍‌ ଓ ମାର୍ଗଦର୍ଶକ ଭାବେ ଦେଖା ଯାଇଥିବା ବେଳେ ରାହୁଲଙ୍କୁ କ୍ୟାପ୍ଟେନ ଭାବେ ଉଭା ହୋଇଥିଲେ। ପେଟ୍ରୋଲ ଡିଜେଲ ଦରରୁ ଆରମ୍ଭ କରି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଘେରିଥିବା ବେଳେ ହିନ୍ଦୁ ଓ ହିନ୍ଦୁତ୍ୱବାଦୀଙ୍କ ମଧ୍ୟରେ ଥିବା ଅନ୍ତରର ରାହୁଲ ବ୍ୟାଖ୍ୟା କରିବାରେ ସାମାନ୍ୟ ତ୍ରୁଟି ମଧ୍ୟ କରିନଥିଲେ। ପୁରା ଭାଷଣରେ ସୋନିଆଙ୍କୁ କେବଳ କରତାଳି ଦେଉଥିବାର ଲୋକେ ଦେଖୁଥିଲେ। ଯାହାକୁ ଏବେ ରାହୁଲଙ୍କ ଅଘୋଷିତ ଦଳାଭିଷେକ ବୋଲି ବିଚାର କରାଯାଉଛି।

Spread the love