ବାତ୍ୟା ଉଜାଡ଼ି ଦେଲା ବାଦାମ ଫସଲ, ଚିନ୍ତାରେ ଚାଷୀ, ବିଲରେ ବିହନ ନଷ୍ଟ

ଚଣ୍ଡିଖୋଲ, ୧୨/୧୨: ବାତ୍ୟା ଜୱାଦ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଗୋଟିଏ ପଟେ ଚିନାବାଦାମ ବିହନର କଳାବଜାରୀର ଶିକାର ହୋଇଥିବା ଚାଷୀ ଲଗାଣ ବର୍ଷା କାରଣରୁ ଚାଷ ଜମିରେ ଲାଗିଥିବା ବିହନ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଚିନ୍ତାରେ ଚାଷୀ କୂଳ ।

କିଛିଦିନ ପୂର୍ବରୁ ଚିନାବାଦାମ ଚାଷ କରିଥିଲେ ଚାଷୀ । ସେ ସମୟରେ ଚାଷୀ ମାନେ କଳାବଜାରୀର ଶିକାର ହୋଇ କୁଇଣ୍ଟାଲ ପିଛା ୯,୦୦୦ ଟଙ୍କା ଦେଇ ବିହନ କିଣି ଲଗାଇ ଥିଲେ । ବାତ୍ୟା ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଜମିରେ ପାଣି ଜମି ରହିବା ଫଳରେ ବିହନ ସମ୍ପୂର୍ଣ ରୂପେ ପଚି ଯାଇଛି। ଧାର ଉଦ୍ଧାର କରି ଚାଷୀ ଚିନାବାଦାମ ଚାଷ କରିଥିବା ବେଳେ ବର୍ଷା ଫସଲ ଉଜାଡି ଦେଇଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି, କେତେବେଳେ ବର୍ଷା ଅଭାବରୁ ମରୁଡି ଆଶଙ୍କା ତ ଆଉ କେତେବେଳେ ଅଭାବୀ ବିକ୍ରିର ଶିକାର ହୋଉଥାଏ ଚାଷୀ ଆଉ ଏବେ ଲଗାଣ ବର୍ଷା ଯୋଗୁ ଫସଲ ନଷ୍ଟ ଚାଷୀ ମେରୁଦଣ୍ଡ ଭାଙ୍ଗି ଦେଇଛି।

ବଡ଼ଚଣା ବ୍ଲକର ୬ଟି ପଂଚାୟତରେ ବର୍ଷ ବର୍ଷ ଧରି ଚିନାବାଦାମ ଚାଷ କରିଥାନ୍ତି ଚାଷୀ। ଚଳିତ ବର୍ଷ ମଧ୍ୟ ୧୪୦୦ ହେକ୍ଟର ଚାଷ ଜମିରେ ଚିନାବାଦାମ ଚାଷ କରାଯାଇଛି। କେବଳ ଯେ ଚିନାବାଦାମ ଚାଷ ନୁହେଁ ବରପଦା ଭଳି ବହୁ ପଂଚାୟତରେ ପୋଟଳ ଚାଷ ମଧ୍ୟ ବେଶ ଭଲ ହୋଇଥାଏ। ହେଲେ ଲଗାଣ ବର୍ଷା ଯୋଗୁ ପୋଟଳ ଚାଷ ପାଇଁ ଲାଗିଥିବ ତଳି ମଧ୍ୟ ପଚି ଯାଇଛି। ସହ ସହ ଚାଷୀଙ୍କ ପରିବାର ଏହି ଚାଷରେ ନିଜ ପରିବାର ଚଳାଇ ଆସୁଥିବା ବେଳେ ଫସଲ ନଷ୍ଟ ହୋଇଯାଇ ଥିବାରୁ ପରିବାର ପ୍ରତିପୋଷଣ କଷ୍ଟସାଧ୍ୟ ହୋଇପଡିଛି । ଏ ନେଇ ବ୍ଲକ କୃଷି ଅଧିକାରୀ କହିଛନ୍ତି, ଫସଲ କ୍ଷୟକ୍ଷତିର ଆକଳନ କରାଯାଇ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବ।

Spread the love