ଘୂର୍ଣ୍ଣିଝଡ଼ର ଭୟାବହତା ବଖାଣୁଛନ୍ତି ବର୍ତ୍ତି ଯାଇଥିବା ଲୋକେ

କେଣ୍ଟୁକି : ଯୁକ୍ତରାଷ୍ଟ୍ର ଆମେରିକାରେ ଶୁକ୍ରବାର ବିଲମ୍ବିତ ରାତ୍ରିରୁ ଓ ଶନିବାର ସକାଳ ପର୍ଯ୍ୟନ୍ତ ତାଣ୍ଡବ ରଚିଥିବା ଘୂର୍ଣ୍ଣିଝଡ (ଟର୍ଣ୍ଣାଡୋ) ବ୍ୟାପକ କ୍ଷୟକ୍ଷତି କରିଛି। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୮୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଏବେବି ୧୨ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। କେଣ୍ଟୁକିଭର୍ଣ୍ଣର ଏଣ୍ଡି ବେଶିୟର ପ୍ରାକୃତି ପ୍ରଳୟର ଭୟାବହତାରୁ ଏହା ଶହେରୁ ଅଧିକ ଲୋକଙ୍କ ପ୍ରାଣ ନେଇଥାଇ ପାରେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆଶଙ୍କା ପ୍ରକାଶ କରିଛନ୍ତି।

ଶୁକ୍ରବାର ଯୁକ୍ତ ରାଷ୍ଟ୍ରର ୬ଟି ଷ୍ଟେଟ୍‌ରେ ୩୦ଟି ଘୂର୍ଣ୍ଣିବାତ୍ୟା ଏକ ସଙ୍ଗରେ ପ୍ରଳୟ ରଚିଥିଲେ। ଏଥିରୁ ଗୋଟିଏ ଏତେ ଶକ୍ତିଶାଳୀ ଥିଲା ଯେ ପ୍ରାୟ ୨୦୦ ମାଇଲରୁ ଅଧିକ ଦୂର ପର୍ଯ୍ୟନ୍ତ ପଳାଇଥିଲା। ହୁଏତ ଆମେରିକା ପାଣିପାଗ ଇତିହାସରେ ଏହା ସବୁଠାରୁ ବଡ଼ ପ୍ରଳୟଙ୍କର ଝଡ଼ ହୋଇ ପାରେ ବୋଲି ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି। ଝଡ ଥମିବା ପରେ ବର୍ତ୍ତିଯାଇଥିବା ଲୋକେ ନିଜର ଅଭିଜ୍ଞତା ବଖାଣୁଛନ୍ତି। ହୁଏତ ଏହାକୁ ଘୂର୍ଣ୍ଣିଝଡ କୁହାଯାଉଛି କିନ୍ତୁ କୌଣସି ଶକ୍ତିଶାଳୀ ବୋମା ବିସ୍ଫୋରଣ ପରି ଅନୁଭବ ହୋଇଥିଲା ବୋଲି ସେମାନେ ଅନୁଭବ କରିଥିବା କହୁଛନ୍ତି।

ଆମେରିକା ରାଷ୍ଟ୍ରପତି ବାଇଡେନ କେଣ୍ଟୁକିକୁ ବିପର୍ଯ୍ୟସ୍ତ ରାଜ୍ୟ ଘୋଷଣା କରିଛନ୍ତି। ତେବେ ଏହି ସମ୍ମିଳିତ ଘୂର୍ଣ୍ଣିଝଡ ଆରକାନସାସ୍, ଇଲିନୋଇସ୍, ମିସିସିପି, ମିସୋରୀ ଓ ଟେନିସିରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିଛି। ଝଡରେ କେବଳ କେଣ୍ଟୁକୀରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମାୟଫିଲ୍ଡ ସହରରେ ଥିବା ଏକ ମହମବତୀ କାରଖାନା ଝଡରେ କାଠିକୁଟା ଭଳି ଉଡି ଯାଇଥିଲା। ଝଡବେଳେ ଏଠାରେ ୧୧୦ରୁ ଅଧିକ ଲୋକେ କାମ କରୁଥିଲେ।

ଝଡ଼ ସବୁକିଛି ଉଡାଇ ନେଇଛି। ଯେଉଁମାନେ ବଞ୍ଚିଯାଇଛନ୍ତି ସେମାନେ ବାସ ଓ ବେଉସା ଉଭୟ ହରାଇଛନ୍ତି। ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଷ୍ଟ୍ରପତି ବାଇଡେନ । ଶୁକ୍ରବାର ସନ୍ଧ୍ୟାରେ ଟର୍ଣ୍ଣାଡୋ ନେଇ ପାଣିପାଗ ବିଭାଗଙ୍କ ସତର୍କତା ପରେ କେଣ୍ଟୁକିର ରେଷ୍ଟୁରାଣ୍ଟ ମାଲିକ ମିଚେଲ ଫୌଲର ରାତି ପ୍ରାୟ ୮ଟାରେ  ରେଷ୍ଟୁରାଣ୍ଟ ବନ୍ଦ କରି କର୍ମଚାରୀଙ୍କୁ ଘରକୁ ଯିବାକୁ କହିଥିଲେ। ସେ ନିଜେ ମଧ୍ୟ ସେଠାରୁ ୮ ମାଇଲ (୧୩ କିମି) ଦୂର ନିଜ ଘରକୁ ଚାଲିଯାଇଥିଲେ। ସକାଳେ ଝଡ ଥମିବା ପରେ ଆସି ଦେଖିବା ବେଳକୁ ରେଷ୍ଟୁରାଣ୍ଟ ଆଉ ତା ସ୍ଥାନରେ ନଥିଲା।

ଏହି ରେଷ୍ଟୁରାଣ୍ଟଟି ଫୌଲରଙ୍କ ପାରିବାରିକ ବ୍ୟବସାୟ। ସେ ଦୀର୍ଘ ୪୦ ବର୍ଷ ହେଲା ବ୍ୟବସାୟ କରି ପରିବାର ଚଳାଉଥିଲେ। ଏଥିରୁ ପିଲାଙ୍କୁ ମଣିଷ କରିଥିଲେ। ସେମାନେ ମଧ୍ୟ ଏହି ରେଷ୍ଟୁରାଣ୍ଟରେ କାମ କରୁଥିଲେ। ହେଲେ ଘୂର୍ଣ୍ଣିଝଡ ସବୁ ଉଡାଇ ନେଇଛି। ସେହିପରି କେଣ୍ଟୁକି ମେଫିଲ୍ଡର ଜାନେଟ୍‌ କିମ୍ପ ତାଙ୍କ ଘର ଜଳିଯିବା ପରେ ପୁଣି ବସାଇଥିବା ଘର କିପରି ଉଜୁଡି ଯାଇଛି ସାମ୍ବାଦିକଙ୍କୁ ତାହା ଦେଖାଇଛନ୍ତି। ୨୦୦୯ରେ ତାଙ୍କ ସ୍ୱାମୀଙ୍କ ପରଲୋକରେ ସେ ଦେବାଳିଆ ହୋଇଯାଇଥିଲେ। ସେଥିରୁ କଷ୍ଟେମଷ୍ଟେ ଉଧୁରିଥିବା ବେଳେ ବାତ୍ୟା ଏବେ ପୁଣି ଥରେ ତାଙ୍କୁ ରାସ୍ତାରେ ଛିଡା କରିଦେଇଛି। କେବଳ ଫୌଲର କି କିମ୍ପ ନୁହନ୍ତି ତାଙ୍କ ପରି ହଜାର ହଜାର ଲୋକେ ଏବେ ଘୂର୍ଣ୍ଣିଝଡ ଯୋଗୁ ରାସ୍ତାକୁ ଚାଲିଆସିଛନ୍ତି ।

Spread the love