ସିବିଆଇ ଉପରେ ଭରସା ଅଛି କି ନାହିଁ: ରାଜ୍ୟକୁ କେନ୍ଦ୍ର ମନ୍ତ୍ରୀଙ୍କ ବଡ ପ୍ରଶ୍ନ, କହିଲେ- କାହିଁକି ଦୋମୁହାଁ ନୀତି ?

ନୂଆଦିଲ୍ଲୀ ୧୨।୧୨: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ଉପରେ ଭରସାକୁ ନେଇ ରାଜ୍ୟର ଦୋମୁହାଁ ଆଭିମୁଖ୍ୟ ଉପରେ କେନ୍ଦ୍ରୀୟ କାର୍ମିକ ମନ୍ତ୍ରୀ ଡ.ଜିତେନ୍ଦ୍ର ସିଂହ ରବିବାର ବଡ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ରାଜ୍ୟକୁ ସ୍ପଷ୍ଟ କରିବା ଉଚିତ୍ ଯେ, ସେମାନଙ୍କୁ ସିବିଆଇ ଉପରେ ଭରସା ଅଛି କି ନାହିଁ ? କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଗୋଟିଏ ପଟେ ରାଜ୍ୟ ସିବିଆଇକୁ ଦିଆଯାଇଥିବା ଯାଞ୍ଚର ସର୍ବସମ୍ମତିକୁ ପ୍ରତ୍ୟାହାର କରୁଥିବା ବେଳେ ଅନ୍ୟପଟେ ଜନତାଙ୍କ ଚାପରେ ପଡି କିଛି ବଛା ବଛା ମାମଲାର ତଦନ୍ତ ଦାୟିତ୍ଵ ସିବିଆଇକୁ ଦେଉଛନ୍ତି। ରବିବାର ସିବିଆଇର ଏକ ସମାରୋହକୁ ସମ୍ବୋଧିତ କରି କାର୍ମିକ, ଲୋକ ଅଭିଯୋଗ ଓ ପେନସନ ରାଜ୍ୟ ମନ୍ତ୍ରୀ ସିଂହ ଏହି କଥା କହିଛନ୍ତି। ଏହି ଅବସରରେ ସେ ଉତ୍କୃଷ୍ଟ ସେବା ପାଇଁ ୪୭ ସିବିଆଇ ଅଧିକାରୀଙ୍କୁ ପୋଲିସ ମେଡାଲ ପ୍ରଦାନ କରିଛନ୍ତି।

ସମାରୋହରେ ହାଥରସ୍ ଗଣଦୁଷ୍କର୍ମ ଓ ହିମାଚଳର ଗୁଡିଆ ଦୁଷ୍କର୍ମ କାଣ୍ଡର ଯାଞ୍ଚ କରୁଥିବା ସିବିଆଇର ଡେପୁଟୀ ଏସପି ସୀମା ପାହୁଜାଙ୍କୁ କେନ୍ଦ୍ର ମନ୍ତ୍ରୀ ସ୍ଵର୍ଣ୍ଣ ପଦକ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ସତର୍କତା ଆୟୋଗ ସୁରେଶ ଏନ ପଟେଲ୍‌ ଓ କାର୍ମିକ ସଚିବ ପ୍ରଦୀପ କୁମାର ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।  ସିଂହ ନିଜ ସମ୍ବୋଧନରେ କହିଛନ୍ତି, ରାଜ୍ୟଗୁଡିକୁ ଏହା ସ୍ପଷ୍ଟ କରିଦେବା ଉଚିତ୍ ଯେ, ସେମାନେ ସିବିଆଇ ଉପରେ ଭରସା କରନ୍ତି କି ନାହିଁ କିମ୍ବା ସେମାନେ ବଛା ବଛା କେସ୍‌ରେ ଭରସା କରନ୍ତି। କାରଣ ସେମାନେ ବଛା ବଛା ମାମଲାରେ ହିଁ ସିବିଆଇକୁ ଠିକ୍ ଦର୍ଶାନ୍ତି ଆଉ କେତେବେଳେ ଭୁଲ୍ ଦର୍ଶାନ୍ତି।

ଜିତେନ୍ଦ୍ର ସିଂହ ରାଜ୍ୟଗୁଡିକୁ ଅନୁରୋଧ କରିଛନ୍ତି ଯେ, ସେମାନେ ସିବିଆଇକୁ ତଦନ୍ତ ପାଇଁ ଦିଆଯାଇଥିବା ସର୍ବସମ୍ମତିକୁ ପ୍ରତ୍ୟାହାର କରିବା ଉପରେ ପୁନର୍ବିଚାର କରନ୍ତୁ। ଏହା ଏଥିପାଇଁ ଜରୁରୀ କାରଣ ସାଧାରଣ ସହମତି ପ୍ରତ୍ୟାହାର ପରେ ମଧ୍ୟ ରାଜ୍ୟ ସରକାର ଜନତାଙ୍କ ଚାପ  ପଡି ମାମଲାକୁ ସିବିଆଇକୁ ହସ୍ତାନ୍ତର କରୁଛନ୍ତି। ଏଥିରୁ ଏହା ପ୍ରତୀତ ହେଉଛି ଯେ, ଜନତାଙ୍କୁ ସିବିଆଇ ଉପରେ ଅଧିକ ଭରସା ରହିଛି। ଅନେକ ଜଟିଳ ଏବଂ ଜରୁରୀ ମାମଲାକୁ ଅନେକ ଥର ଅଦାଲତ ଦ୍ଵାରା ସିବିଆଇକୁ ହସ୍ତାନ୍ତର କରାଯାଏ।

Spread the love