ବିରୋଧୀ ସ୍ୱରର ନାୟକ ହେବେ ବିଜୟ ମହାପାତ୍ର !

ରାଜ୍ୟ ବିଧାନସଭା ପାଇଁ ନିକଟରେ ନିର୍ବାଚନ ସରିଥିଲେ ମଧ୍ୟ ପାଟକୁରାରେ ଏକ ଷଡ଼ଯନ୍ତ୍ର ବଳରେ ବିଧାନସଭା ଭୋଟଗ୍ରହଣ ହୋଇପାରିଲା ନାହିଁ । ଷଡ଼ଯନ୍ତ୍ରର କାରଣ ପାଟକୁରା ଓ ଡେରାବିଶର ସଚେତନତା ଜନସାଧାରଣ ଭଲଭାବରେ ଜାଣନ୍ତି । ରାଜ୍ୟରେ ସରକାର ଗଠନ ହୋଇଯାଇଛି । ଏଣୁ ପାଟକୁରାରେ ଯେଉଁ ଭୋଟଗ୍ରହଣ ହେବ ତାହା ସରକାର ଗଠନ ପାଇଁ ନୁହେଁ, ବିଧାନସଭାରେ ପ୍ରକୃତ ବିରୋଧର ସ୍ୱର ଉତୋଳନ ହେବା ପାଇଁ ଏହି ନିର୍ବାଚନ ହେବ । ଷଡ଼ଯନ୍ତ୍ରକାରୀମାନେ ବୋଧହୁଏ ଜାଣିନାହାନ୍ତି ଯେ, ଏହି ଅଂଚଳର ଲୋକମାନେ ରାଜ୍ୟ ବା ଦେଶର ଚିନ୍ତାଧାରା ଠାରୁ ଭିନ୍ନଭାବରେ ବିରୋଧୀ ସ୍ୱର ମଜଭୁତ କରିବା ପାଇଁ ଅତୀତରେ ବହୁବାର ଭୋଟ ଦେଇଛନ୍ତି । ସ୍ୱର୍ଗତ ସଂଗ୍ରାମୀ ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ କଥା ହେଉ ବା ଅଶୀ ଦଶକରେ ବିଜୁ ପଟ୍ଟନାୟକ ହୁଅନ୍ତୁ ସେମାନଙ୍କୁ ରାଜ୍ୟ ସ୍ରୋତ ବିରୋଧରେ ଏହି ଅଂଚଳର ଲୋକମାନେ ଛିଡ଼ାହୋଇ ସେମାନେ ବିରୋଧୀ ସ୍ୱର ପଛରେ ଯେପରି ଛିଡ଼ା ହୁଅନ୍ତି ତାହା ପ୍ରମାଣିତ କରିଛନ୍ତି । ବିଜୟ ମହାପାତ୍ର ଓଡ଼ିଶାରେ ଅନେକ ବର୍ଷ ଧରି ବିରୋଧର ଏକ ମୁଖ୍ୟ ସ୍ୱର ହୋଇଥିବାରୁ ତାଙ୍କୁୂ ବିଧାନସଭାକୁ ଭର୍ତି କରିନଦେବା ପାଇଁ ଦୀର୍ଘ ୨୦ବର୍ଷ ହେଲା ଅନବରତ ଉଦ୍ୟମ ଚାଲିଛି ।

ପ୍ରଥମଥର ପାଇଁ ବିଜୟ ମହାପାତ୍ର ଏପରି ଏକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଯେଉଁଠାରେ ସେ ନିର୍ବାଚିତ ହେଲେ ବିରୋଧୀ ସ୍ୱରର ନାୟକ ହେବେ । ଅପରପକ୍ଷରେ ସେ ପରାଜିତ ହେଲେ ବିପୁଳ ସଂଖ୍ୟା ଗରିଷ୍ଠତା ଥିବା ଶାସକ ଦଳରେ ଆଉ ଜଣେ ସଭ୍ୟା ସାମିଲ ହେବେ, ଯାହାଙ୍କର ନିଜ ଦଳ, ରାଜ୍ୟ ବା ଜିଲ୍ଲା ଉପରେ କୌଣସି ପ୍ରଭାବ ପଡ଼ିବାର ନାହିଁ । ଏଣୁ ଏଠାରେ ପ୍ରଶ୍ନ ହେଉଛି ପାଟକୁରା-ଡେରାବିଶ ଅଂଚଳର ଜନସାଧାରଣ ପୂର୍ବ ପରମ୍ପରା ଓ ବୁନିଆଦିକୁ ରକ୍ଷା କରିବା ପାଇଁ ସ୍ୱାଭିମାନ ପ୍ରକାଶ କରି ଅଂଚଳର ଇଜ୍ଜତ ରକ୍ଷା କରିବେ ନା ଆତ୍ମସମର୍ପଣ କରିବେ?

Spread the love