ଏହି ଗାଁରେ ମଦ ଓ ଆମିଷ ଉପରେ ପ୍ରତିବନ୍ଧକ ଲଗାଇଲେ ‘ଦେବତା’: ଉଲ୍ଲଙ୍ଘନ କଲେ ଜରିମାନା ସହ ଦଣ୍ଡ

କୁଲ୍ଲୁ ୧୬/୧୨ : ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାର ଦେବ ସଂସ୍କୃତି ସହ ଜଡିତ ମଲାଣା ଗାଁରେ ସ୍ଥାନୀୟ ଦେବତା ପୁରା ଗାଁରେ ମଦ ଓ ମାଂସ, ମାଛ, ଅଣ୍ଡା ଆଦି ଆମିଷ ଖାଇବା ଓ ବିକ୍ରି କରିବାରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଗାଁରେ ସରକାରଙ୍କ ନୀତି ନିୟମ ନୁହେଁ ଦେବତାଙ୍କ ଆଦେଶ ଚାଲିଥାଏ ଏବଂ ଲୋକେ ଏହି ଆଦେଶ ଅନୁପାଳନ ମଧ୍ୟ କରନ୍ତି। ନିକଟରେ ଦେବତା ଗୁରୁ ମାଧ୍ୟମରେ ଏକ ଆଦେଶ ଦେଇଛନ୍ତି ଯେ ତାଙ୍କ ପରିଧି ଅନ୍ତର୍ଭୁକ୍ତ କ୍ଷେତ୍ରରେ ମଦ, ମାଂସ, ଆମିଷ ବିକ୍ରି ଓ ଖାଇବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଉ।

ହିମାଚଳ ପ୍ରଦେଶ ମଲାଣା ଗାଁରେ ଦେବତାଙ୍କ ଆଦେଶ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କୁ ୧୧୦୦ ରୁ ୧୧ ହଜାର ଟଙ୍କା ଯାଏଁ ଜରିମାନା ଲଗାଯାଏ। ତଥାପି ବି ଯଦି କିଏ ନ ମାନେ ତାହେଲେ ତାର ନିଆଁ ପାଣି ବାସନ୍ଦ କରି ସାମାଜିକ ଭାବେ ବହିଷ୍କାର କରିଦିଆଯାଏ। ଏହି ଆଦେଶ ପରେ ଗାଁରେ ଏକ ବୋର୍ଡ ଲଗାଇ ଲୋକଙ୍କୁ ସୂଚିତ କରାଯାଇଛି। ଦେବତା କହିଛନ୍ତି ଯେ ଲୋକେ ମଦ ଓ ଆମିଷ ଖାଇବା ଦ୍ୱାରା ଦେବ ସଂସ୍କୃତି ଅପବିତ୍ର ହେଉଛି ଏବଂ ଲୋକେ ନିଶାଶକ୍ତ ହୋଇଯାଉଛନ୍ତି। ସେଥିପାଇଁ କଡାକଡି ଭାବେ ଏହି ନିୟମ ପାଳନ କରାଯିବ ଉଚିତ।

ମଲାଣା ଗାଁରେ ଯଦି ଏହି ଆଦେଶ, ଏହି ସଂସ୍କୃତି ପ୍ରୟୋଗ ସଫଳ ହୁଏ ତାହେଲେ ନିଶ୍ଚିତ ଦେବ ଆଦେଶକୁ ପ୍ରଣାମ କରାଯିବ ଏବଂ ଏହା ପୁରା ଦେଶ ପାଇଁ ଏକ ସନ୍ଦେଶ ହେବ।

Spread the love