ଭିକ ମାଗି ପେଟ ପୋଷୁଛନ୍ତି ମହିଳା ସରପଞ୍ଚ

ଖଲ୍ଲିକୋଟ ୧୮।୧୨:  ଭିକ୍ଷାବୃତ୍ତି କରି ପେଟ ପୋଷୁଛନ୍ତି ମହିଳା ସରପଞ୍ଚ । ନା ସେ ପଞ୍ଚାୟତ ବିଷୟରେ କିଛି ଜାଣନ୍ତି , ନା ତାଙ୍କୁ କିଏ ପଚାରନ୍ତି । ନିଜ ପଞ୍ଚାୟତ, ପ୍ରଶାସନିକ ବ୍ୟବସ୍ଥା ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ ଥିବା ଜଣେ ବୃଦ୍ଧା ମହିଳା ସରପଞ୍ଚ ଭିକ ମାଗିବା ଖବର ସମସ୍ତଙ୍କୁ ଦୋହଲାଇ ଦେବା ସହ ବ୍ୟବସ୍ଥାକୁ ନେଇ ଛିଡା କରିଛି ପ୍ରଶ୍ନ ।

ଭିକ ମାଗୁଛନ୍ତି ମହିଳା ସରପଞ୍ଚ । ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥାଇପାରେ । ହେଲେ ଏହା ସତ । ଗଞ୍ଜାମ ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତର ମହିଳା ସରପଞ୍ଚ ହେମ ନାୟକ। ହେମଙ୍କ ବୟସ ପାଖାପାଖି ୭୧ ବର୍ଷ । ପେଟ ପୋଷିବା ପାଇଁ ଘରକୁ ଘର ଭିକ ମାଗନ୍ତି ହେମ । ତାଙ୍କର ରହିଛି ଗୋଟିଏ ଝାଟିମାଟିର ଘର । ଯାହାଙ୍କ ଦସ୍ତଖତରେ ହିତାଧିକାରୀଙ୍କୁ ଘର ମିଳେ ତାଙ୍କର ଘରର ଅବସ୍ଥା ଏମିତି ।  ହେମ ନାୟକ ଗତ ୫ ବର୍ଷ ଭିତରେ କେବଳ ୪ ରୁ ୫ ଥର ପଞ୍ଚାୟତ ଅଫିସ ଯାଇଛନ୍ତି । ବ୍ଲକ୍ ଅଫିସ କେବେ ଆସିଛନ୍ତି ତାଙ୍କର ମନେ ନାହିଁ । କିଏ ବିଡିଓ ଅଛନ୍ତି ସେ ଜାଣନ୍ତିନି । ସରପଞ୍ଚ ଭାବେ ତାଙ୍କୁ କେତେ ଦରମା ମିଳୁଛି ତାହା ବି ଜାଣନ୍ତିନି । ପଞ୍ଚାୟତରେ ହେମଙ୍କ ସ୍ବାମୀ ପିଅନ ଥିବାରୁ ସେ ଦରମା ଟଙ୍କା ଉଠାଇ ଆଣନ୍ତି ବୋଲି କେବଳ ସେ ଜାଣନ୍ତି । ତାଙ୍କୁ ଭତ୍ତା ବି ମିଳୁ ନଥିବା କୁହନ୍ତି ହେମ ।

ଏଠି ପ୍ରଶ୍ନ ଉଠୁଛି ସରପଞ୍ଚଙ୍କ ଯଦି ଏପରି ଅବସ୍ଥା ତେବେ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ କେମିତି ଚାଲିଛି । ପଞ୍ଚାୟତର ଯାହାସବୁ ଉନ୍ନୟନ କାମ ହୁଏ ତାହା ପଞ୍ଚାୟତ କର୍ମଚାରୀ କରନ୍ତି । ସରପଞ୍ଚ ହେମ ନାୟକ କିଛି ଜାଣନ୍ତିନି । ସରପଞ୍ଚଙ୍କ ଦସ୍ତଖତ ଆବଶ୍ୟକ ହେଲେ କେତେବେଳେ ଟିପ ଚିହ୍ନ ଦିଅନ୍ତି ତ ଆଉ କେତେବେଳେ ଦିଅନ୍ତିନି । ହେମଙ୍କ ପଞ୍ଚାୟତରେ ସର୍ବାଧିକ ପରିବାର  ଆଦିବାସୀ । ଗତ ନିର୍ବାଚନରେ ଏହି ପଞ୍ଚାୟତ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା । ଆଉ ହେମଙ୍କ ପରିବାର ହିଁ ଅନୁସୁଚିତ ଜାତିର ଥିବାରୁ ହେମ ହିଁ ସରପଞ୍ଚ ପଦବି ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ତେବେ ପାଠ ପଢ଼ିନଥିବାରୁ ପଞ୍ଚାୟତରେ କଣ ହେଉଛି, କେତେ କାମ ଆସୁଛି, କେତେ ଟଙ୍କା ଆସୁଛି ଖବର ରଖିବାରେ ସକ୍ଷମ ନଥିଲେ । କେବଳ ନାମକୁ ମାତ୍ର ହିଁ ସେ ସରପଞ୍ଚ ।

ଏହି ଖବର ଜଣାପଡିବା ପରେ ଅତି ତରବରିଆ ଭାବେ ତାଙ୍କ ଘରେ ପହଞ୍ଚିଥିଲେ ବ୍ଲକ୍‌ ବିଡିଓ ଓ ସ୍ଥାନୀୟ ତହସିଲଦାର ।  ତହସିଲ ପକ୍ଷରୁ ରେଡ କ୍ରସ ପାଣ୍ଠିରୁ ତାଙ୍କୁ ୧୦ ହଜାର ଟଙ୍କା ଓ ଶୀତରୁ ସୁରକ୍ଷା ପାଇଁ ତାଙ୍କୁ କମ୍ବଳ ଦେଇଥିଲେ। ହେମଙ୍କ ଏପରି ଅବସ୍ଥାର ତଦନ୍ତ କରାଯାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ। ହେଲେ ଏନେଇ କୌଣସି ପ୍ରଶାସନିକ ଅଧିକାରୀ ମୁହଁ ଖୋଲି ନାହାନ୍ତି । ଯେଉଁଠି ଜଣେ ସରପଞ୍ଚଙ୍କୁ ସହାୟତା ପ୍ରଦାନ କରାଯାଉଛି ସେଠି ଆମ ବ୍ୟବସ୍ଥା କେମିତି ଚାଲିଛି ସେଥିରୁ ଅନୁମାନ କରିହେଉଛି ।

Spread the love