ଦେହ ଶୀତେଇ ଦେଲା ଭଳି ଭିଡିଓ; ଅଳ୍ପକେ ବର୍ତ୍ତିଲା ଶିଶୁପୁତ୍ର

କ୍ଷଣିକେ ଚାଲିଯାଇଥା’ନ୍ତା ଏକ ଛୋଟ ଶିଶୁର ଜୀବନ। ହେଲେ କଥାରେ ଅଛି ‘ରଖେ ହରି ମାରେ କିଏ’। ଠିକ୍‌ ସମୟରେ ମା’ ଗୋଟିଏ ଗୋଡ଼ ଧରି ପକାଇବାରୁ ବଞ୍ଚି ଯାଇଥିଲା ତାଙ୍କ ଜୀବନ। ଏବେ ଏହି ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଦେହ ଶୀତେଇ ଯିବ। ଘଟଣାଟି ଘଟିଛି କଲମ୍ବିଆର ମେଡେଲିନ୍‌ ସ୍ଥିତ ଏକ ବିଲ୍ଡିଂରେ। ଭିଡିଓରୁ ଦେଖିବାକୁ ମିଳୁଛି ଯେ ଲିଫ୍ଟରୁ ଏକ ଛୋଟ ଶିଶୁ ତାଙ୍କ ମାଆ ସହିତ ବାହାରୁଛନ୍ତି। ତାଙ୍କ ମାଆ ତାଙ୍କ ହାତ ମଧ୍ୟ ଧରିଥିଲେ। ତାଙ୍କ ପଛେ ପଛେ ଆଉ ଜଣେ ବ୍ୟକ୍ତି ବାହାରୁଛନ୍ତି। ମହିଳା ଜଣଙ୍କ ଫୋନ୍‌ରେ କଥା ହେଉଥିବା  ଯୋଗୁ ଆଗକୁ ବଢ଼ିବା ପୂର୍ବରୁ ଅଳ୍ପ ସମୟ ପାଇଁ ଅଟକି ଯାଇଥିଲେ। ଏହି ସମୟରେ ଶିଶୁଟି ତାଙ୍କ ହାତ ଛାଡ଼ି ବାଲ୍‌କୋନୀ ଆଡ଼କୁ ଚାଲି ଯାଇଥିଲା। ତେବେ ମହିଳା ଜଣଙ୍କ ତାଙ୍କ ଉପରେ ନଜର ରଖିଥିଲେ। ତେବେ ହଠାତ୍ ଶିଶୁଟି କିଛି ଦେଖିବା ଭଳି ଢଙ୍ଗରେ ରହି ତଳକୁ ଖସି ଯାଇଥିଲେ।

ସେ ବାଲ୍‌କୋନୀରୁ ପୂରା ଖସି ବି ଯାଇଥିଲେ। ତେବେ ମହିଳା ଜଣଙ୍କ ତାଙ୍କର ଗୋଟିଏ ଗୋଡ଼କୁ ଧରି ପକାଇ ଥିଲେ। ତା’ପରେ ସେ ତାକୁ ଉପରକୁ ଟାଣି ଆଣିଥିଲେ। ଅବଶ୍ୟ ସେହି ସମୟରେ ଆଉ କିଛି ଲୋକ ସେଠାରେ ପହଞ୍ଚି ଯାଇଥିଲେ।ଏବେ ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ଏବଂ ଉକ୍ତ ମହିଳାଙ୍କ ଉପସ୍ଥିତ ବୁଦ୍ଧିକୁ ସମସ୍ତେ ପ୍ରଶଂସା କରୁଛନ୍ତି।

 

Spread the love