କିଏ କେତେ ଲୋକଙ୍କ ପାଇଁ କାମ କରିଛି, ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରଙ୍କ ସଫଳତା ପହଞ୍ଚାଇବାକୁ ବିଜେଡି-ବିଜେପି ଛକାପଞ୍ଝା

ଭୁବନେଶ୍ଵର ୧୯।୧୨: ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାରଙ୍କ ସଫଳତାକୁ ନେଇ ଲୋକଙ୍କ ପାଖରେ ପହଁଚାଇବାକୁ ଆରମ୍ଭ ହୋଇଛି ପ୍ରତିଯୋଗିତା । ଡିସେମ୍ବର ୨୫ରେ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀକୁ ସାରା ଦେଶରେ ସୁଶାସନ ଦିବସ ଭାବେ ପାଳନ କରୁଛି ବିଜେପି । କେନ୍ଦ୍ରସରକାରଙ୍କ ସଫଳ ଯୋଜନା, ସୁଶାସନ ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଗାଁକୁ ଯିବାକୁ ବିଜେପି କରିଛି ରଣନୀତି । ସେପଟେ ଆସନ୍ତା ୨୬ରେ ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାରଙ୍କ ୨୧ ବର୍ଷର ସଫଳ ଶାସନ ଓ ଜନହିତକର ଯୋଜନାକୁ ଗାଁ ଗାଁରେ ପହଁଚାଇବାକୁ କରିଛି ସ୍ବତନ୍ତ୍ର ଯୋଜନା କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ୩୧୪ ବ୍ଲକରେ ଭର୍ଚୁଆଲ ମାଧ୍ୟମରେ  ପହଁଚାଇବାକୁ ହୋଇଛି ପ୍ଲାନ ।

ପ୍ରତିଷ୍ଠା ଦିବସ ବନାମ ସୁଶାସନ ଦିବସ । ଲୋକଙ୍କ ପାଖରେ ପହଁଚିବାକୁ ଏମିତି ଯୋଜନା କରିଛନ୍ତି ବିଜେଡି- ବିଜେପି । ପଞ୍ଚାୟତ ନିର୍ବାଚନ ଲାଗି ଆଚରଣ ବିଧି ଘୋଷଣା ହୋଇଥିବାବେଳେ ଲୋକଙ୍କ ପାଖରେ ପହଁଚିବାକୁ ଶାସକ ଓ ବିରୋଧୀଙ୍କ ଭିତରେ ପ୍ରତିଯୋଗିତା । ନିଜ ନିଜ ସରକାରଙ୍କ ସଫଳତା ଓ ଜନହିତକର ଯୋଜନାକୁ ଭୋଟରଙ୍କ ପାଖରେ ବଖାଣିବାକୁ ବିଜେଡି ବିଜେପି କରିଛନ୍ତି ମେଗା ପ୍ଲାନ । ରାଜ୍ୟରେ ୨୧ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଆସନ୍ତା ୨୬ରେ ପ୍ରତିଷ୍ଠା ଦିବସ ପାଳୁଛି ।

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ତେଣୁ ପ୍ରତିଷ୍ଠା ଦିବସରେ ସରକାରଙ୍କ ସଫଳତା ଏବଂ ମୁଖ୍ୟମନ୍ତ୍ରୀଙ୍କ ଜନ ହିତକର ଯୋଜନା ସଂପର୍କରେ କହି ଲୋକଙ୍କ ନିକଟତର ହେବାକୁ ଗାଁ ମୁହାଁ ହେବେ ବିଜେଡି ନେତା ଓ କର୍ମୀ । ପ୍ରତିଷ୍ଠା ଦିବସ ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ସଂଧ୍ୟାରେ ଉଦବୋଧନ ଦେବେ । ଏହି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଁଚାଇବାକୁ ୩୧୪ ବ୍ଲକରେ ସ୍ବତନ୍ତ୍ର ଆୟୋଜନ କରିଛି ବିଜେଡି ।

ଆସନ୍ତାକାଲିଠାରୁ କେନ୍ଦ୍ରସରକାର ସାରା ଦେଶରେ ସୁଶାସନ ସପ୍ତାହ ପାଳନ କରୁଛନ୍ତି ।ଗାଁର  ତୃଣମୂଳ ସ୍ତରର ଲୋକଙ୍କ ପାଖରେ ଭଲ ପ୍ରଶାସନ ପହଁଚାଇବା ଲକ୍ଷ୍ୟରେ ଗାଁ ଗାଁରେ ଅଭିଯୋଗ ଶୁଣାଣି ହେବ । ପଡି ରହିଥିବା ସାଧାରଣ ଲୋକଙ୍କ ଅଭିଯୋଗ ସମାଧାନ ସହ ଗାଁକୁ ମଜଭୁତ କରିବାକୁ ନାଗରିକ କୈନ୍ଦ୍ରିକ କ୍ୟାମ୍ପେନ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ଡିସେମ୍ବର ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନୀକୁ ସାରା ଦେଶରେ ସୁଶାସନ ଦିବସ ଭାବେ ପାଳୁଛି ବିଜେପି।

କେନ୍ଦ୍ରସରକାରଙ୍କ ସଫଳ ଯୋଜନା, ସୁଶାସନ ଓ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଁଚିବାକୁ କର୍ମୀଙ୍କୁ ଆହ୍ବାନ ଦେଇଛି ରାଜ୍ୟ ବିଜେପି । ସେପଟେ  ନିର୍ବାଚନ ପୂର୍ବରୁ ଦୁଇ ଦଳର ଏଭଳି ଯୋଜନାକୁ କେବଳ ନିର୍ବାଚନି ଚାଲ୍ ବୋଲି କହିଛି କଂଗ୍ରେସ । ଲୋକଙ୍କ ପାଖରେ କିଏ କେମିତି ପହଁଚି ନିଜ ଦଳ ଆଡକୁ ଆକୃଷ୍ଟ କରିପାରୁଛି ତା ଉପରେ ନିର୍ଭର କରୁଛି ନିର୍ବାଚନ ଜିତାପଟ । ସେଥିପାଇଁ ଚାଲିଛି ପ୍ରତିଯୋଗିତା ।

Spread the love