କେବେ ମଇଦାନକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା ? ସ୍ପଷ୍ଟ କଲା ବିସିସିଆଇ

ନୂଆଦିଲ୍ଲୀ ୨୦।୧୨ : କେବେ ଭାରତୀୟ ଦଳକୁ ଫେରିବେ  ହାର୍ଦ୍ଦିକ ପାଣ୍ଡ୍ୟା ? ଏହି ପ୍ରଶ୍ନର ଉତ୍ତର ପାଇବା ଏବେ ମୁସ୍କିଲ। କାରଣ ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ଶତ ପ୍ରତିଶତ ଫିଟ୍ ନାହାନ୍ତି। ସେ ନିଜର ଫିଟନେସ୍ ଫେରି ପାଇବା ପାଇଁ ସଂପ୍ରତି ଝାଳବୁହା ଅଭ୍ୟାସ୍ ଚଳାଇଛନ୍ତି। ଏପରିକି ଫିଟନେସ୍ ଉପରେ କାମ କରିବା ପାଇଁ ସେ  ବିଜୟ ହଜାରେ ଟ୍ରଫି ନଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଏହି ଫିଟନେସ୍ ସମସ୍ୟା କାରଣରୁ ସେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବା ନେଇ ସନ୍ଦେହ ରହିଛି।

୨୦୧୯ରେ ପିଠିର ନିମ୍ନ ଭାଗରେ ଆଘାତ ଲାଗିବା ପରଠୁ ପାଣ୍ଡ୍ୟା ଫିଟନେସ୍ ସମସ୍ୟା ଦେଇ ଗତି କରୁଛନ୍ତି। ଫଳରେ ତାଙ୍କର ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଛି। ଏହି କାରଣରୁ ସେ ବୋଲିଂ ମଧ୍ୟ କରି ପାରି ନାହାନ୍ତି।  ଇନସାଇଡ ସ୍ପୋର୍ଟ୍ସ ରିପୋର୍ଟ ଅନୁଯାୟୀ, ବିସିସିଆଇ  ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ଉପସ୍ଥିତ ହେବାକୁ କହିଛି। ଦଳରେ ଚୟନ କରାଯିବା ପରିବର୍ତ୍ତେ ନୂତନ ବର୍ଷରେ ଏନସିଏରେ ବିଶେଷଜ୍ଞଙ୍କ ନିରୀକ୍ଷଣରେ ହାର୍ଦ୍ଦିକ  ବୋଲିଂ ଫିଟନେସ୍ ଉପରେ କାମ କରିବେ ବୋଲି କୁହାଯାଇଛି।

ବିସିସିଆଇ ଓ ଚୟନକର୍ତ୍ତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ଯେ, ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ  ଏକ ମାତ୍ର ରାସ୍ତା ନିଜର ଫିଟନେସ୍ ଉପରେ କାମ କରିବାକୁ ପଡିବ ଏବଂ ଘରୋଇ କ୍ରିକେଟ୍‌ରେ ନିଜକୁ ସାବ୍ୟସ୍ତ କରିବାକୁ ପଡିବ। ୨୦୧୯ରେ ଯେବେଠୁ ତାଙ୍କର ସର୍ଜରୀ ହୋଇଛି, ତେବେଠୁ ସେ ସଂପୂର୍ଣ୍ଣ ଫିଟନେସ୍ ହାସଲ କରି ପାରି ନାହାନ୍ତି।  ନିକଟରେ ସେ ଆଇସିସି ଟି-୨୦ ବିଶ୍ଵ କପ୍‌ରେ ଖାସ୍ ପ୍ରଦର୍ଶନ କରି ପାରିନଥିଲେ। ଏହି କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ  ୨୦୨୨ ଆଇପିଏଲ୍ ପାଇଁ ତାଙ୍କୁ ଦଳରେ ରଖି ନାହିଁ।

ସୂଚନାଯୋଗ୍ୟ, ଭାରତ ଆସନ୍ତା ବର୍ଷ ଫେବୃଆରୀ ୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ଘରୋଇ ମାଟିରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ତିନି ଦିନିକିଆ ଓ ତିନି  ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ।  ଏହା ପରେ ଭାରତ ଘରୋଇ ମାଟିରେ ଫେବୃଆରୀ ୨୫ରୁ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ଏବଂ ତିନୋଟି ଟି-୨୦ ମ୍ୟାଚ୍‌ ଖେଳିବ। ତେବେ ୨୮ ବର୍ଷୀୟ ଅଲରାଉଣ୍ଡର ହାର୍ଦ୍ଦିକଙ୍କ ଏହି ଦୁଇଟି ସିରିଜ୍‌ରେ ଖେଳିବାର ସମ୍ଭାବନା ଖୁବ କମ ରହିଛି।

Spread the love