ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ରେଡ ଆଲର୍ଟ

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ଘନୀଭୂତ ହେଉଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଆହୁରି ତିନି ଦିନ ଯାଏଁ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଭାରତୀୟ ପାଣିପାଗ ବିଭାଗ ୮ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି । ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବ ବୋଲି ଜଣାପଡିଛି । ଉତ୍ତର ଓ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ରେଡ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ଦେବଗଡ, ସୋନପୁର, ଅନୁଗୁଳ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ଢ଼େଙ୍କାନାଳ । ଏହି ଜିଲ୍ଲାଗୁଡିକରେ ୨୦୦ ମିଲି ମିଟରରୁ ଅଧିକ ବର୍ଷା ହେବାର ଅନୁମାନ କରାଯାଉଛି । ଏଥିପାଇଁ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ମୁକାବିଲା ପାଇଁ ସଜାଗ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏହି ସମୟରେ ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ନବରଙ୍ଗପୁରରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

Spread the love