ଦୁବାଇ ପ୍ରିନ୍ସଙ୍କୁ ମହଙ୍ଗା ପଡିଲା ଛାଡପତ୍ର , ଭରଣପୋଷଣ ବାବଦେ ପୂର୍ବତନ ପତ୍ନୀଙ୍କୁ ଦେବେ ୭୩.୩୦ କୋଟି ଡଲାର

ଲଣ୍ଡନ ୨୧।୧୨:  ଦୁବାଇ ସୁଲତାନ ଶେଖ ମହମ୍ମଦଙ୍କୁ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ଏବେ ମହଙ୍ଗା ପଡିଛି। ତାଙ୍କୁ ନିଜ ପିଲାଙ୍କ ତତ୍ୱାବଧାନ ଲାଗି ପୂର୍ବତନ ପତ୍ନୀଙ୍କୁ  ୭୭.୩୦ କୋଟି ଡଲାର ଅର୍ଥାତ ୫ ହଜାର ୫୦୦ କୋଟି ଟଙ୍କା ପୈଠ କରିବାକୁ ପଡିବ। ବ୍ରିଟେନର ଏକ ହାଇକୋର୍ଟ ତାଙ୍କ ରାୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଦୁବାଇ ସୁତଲାନ ଶେଖ ମହମ୍ମଦ ଓ ତାଙ୍କ ପୂର୍ବତନ ପତ୍ନୀ ହୟାଙ୍କ ମଧ୍ୟରେ ପିଲାଙ୍କୁ ନେଇ ଦୀର୍ଘ ଦିନରୁ ବିବାଦ ଚାଲିଥିଲା। ଏହି ପାରିବାରିକ ବିବାଦରେ ହାଇକୋର୍ଟ ଏବେ ରାୟ ଘୋଷଣା କରିଛନ୍ତି।

ବିବାଦ ଯୋଗୁ ହୟା ୨୦୧୯ ମସିହାରେ ଦୁବାଇ ଛାଡି ପିଲାଙ୍କ ସହ ବ୍ରିଟେନ ଚାଲି ଆସିଥିଲେ। ଏଠାରେ ସେ ଦୁବାଇ ସୁତାନଙ୍କ ବିରୋଧରେ ଆବେଦନ କରିଥିଲେ। ବ୍ରିଟେନ କୋର୍ଟ ଯେଉଁ ଭରଣପୋଷଣ ରାଶି ଘୋଷଣା କରିଛନ୍ତି ଏହା କୌଣସି ବ୍ରିଟିଶ ପାରିବାରିକ ମାମଲାରେ ସବୁଠୁ ବେଶି ବୋଲି କୁହାଯାଉଛି। ତଥାପି ହୟା କରିଥିବା ଦାବି ତୁଳନାରେ ଏହା ଅନେକ କମ ବୋଲି ଜଣାପଡିଛି। ହୟା ଏଥିଲାଗି ସୁଲତାନଙ୍କ ଠାରୁ ୧.୪ ବିଲିୟନ ପାଉଣ୍ଡ ଦାବି କରିଥିଲେ। ତେବେ ହାଇକୋର୍ଟ ୭୭.୩୦ କୋଟି ଡଲାରରେ ମାମଲା ସମାଧାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟରେ ହୟା ସୁଲତାନଙ୍କ ପ୍ରଭାବରୁ ନିଜ ପିଲାଙ୍କୁ ମୁକ୍ତ ରଖିବାକୁ ଚାହାନ୍ତି ବୋଲି କହିଥିଲେ। ଏମିତିରେ ହୟା ଜୋର୍ଡାନର କିଙ୍ଗ ଅବଦୁଲ୍ଲାଙ୍କ ଭଉଣୀ ଅଟନ୍ତି। ମାମଲାର ଶୁଣାଣି କରି ଜଜ୍ ଫିଲିପ ମୁର ହୟା ଓ ତାଙ୍କର ଦୁଇ ପିଲାଙ୍କ ଜୀବନ ପ୍ରତି ବିପଦର ଆଶଙ୍କା କରାଯାଉଛି। ଏଣୁ ସୁଲତାନଙ୍କୁ ଏହି ରାଶି ପୈଠ କରିବାକୁ ହେବ ବୋଲି କହିଛନ୍ତି। ଏଥିରେ ହୟା ଓ ତାଙ୍କ ପିଲାମାନେ ନିଜ ଲାଗି କୌଣସି ଦାବି କରୁନଥିବା କୋର୍ଟ କହିଛନ୍ତି। ସେମାନେ ନିଜ ସୁରକ୍ଷା ଲାଗି ଏହି ଦାବି କରୁଥିବା କହିଛନ୍ତି। ସୁଲତାନଙ୍କ ସହ ବିବାହ ବିଚ୍ଛେଦ ଯୋଗୁ ଯେଉଁ କ୍ଷତି ହୋଇଛି କେବଳ ତାର ଭରଣା ଚାହିଁଛନ୍ତି ବୋଲି ଜଷ୍ଟିସ୍‌ ମୁର କହିଛନ୍ତି।

ବ୍ରିଟିଶ ହାଇକୋର୍ଟଙ୍କ ଆଦେଶ ଅନୁସାରେ ୨୯୦ ମିଲିୟନ ପାଉଣ୍ଡ ରାଶି ଏଚଏସବିସି ବ୍ୟାଙ୍କରେ ଗ୍ୟାରେଣ୍ଟି ଆକାରରେ ରହିବ। କୋର୍ଟଙ୍କ ଏହି ରାୟକୁ ହୟା ଏକ ବଡ ବିଜୟ ବୋଲି ଅନୁଭବ କରିଛନ୍ତି। ତେବେ ଶେଖ ମହମ୍ମଦ ତାଙ୍କ ବିରୋଧରେ ତମାମ ଅଭିଯୋଗକୁ ଅସ୍ୱୀକାର କରୁଛନ୍ତି। ୨୦୧୯ରେ ପ୍ରିନ୍ସେସ ହୟା ବିନ୍ତ ଏଲ-ହୁସୈନ ତାଙ୍କ ସ୍ୱାମୀଙ୍କୁ ଛାଡି ବ୍ରିଟେନ ଚାଲିଆସିଥିଲେ। ସେ ସୁଲତାନ ଶେଖ ମହମ୍ମଦଙ୍କ ଷଷ୍ଠ ପତ୍ନୀ ଥିଲେ। ସେ ସାଙ୍ଗରେ ତାଙ୍କର ୭ ବର୍ଷର ପୁଅ ଜାୟଦ ଓ ୧୧ ବର୍ଷର ଝିଅ ଅଲ ଜଲିଲାଙ୍କୁ ବି ସାଙ୍ଗରେ ନେଇ ଆସିଛନ୍ତି।

Spread the love