ଧାନ କ୍ରୟ ନସରିବା ପର୍ଯ୍ୟନ୍ତ ମଣ୍ଡି ଖୋଲାରଖିବା ପାଇଁ ଦାବି କଲା କୃଷକମୋର୍ଚ୍ଚା

ରାଜ୍ୟରେ ଧାନ ସଂଗ୍ରହ ସରିଛି କହି ଆସନ୍ତାକାଲିଠୁ ରାଜ୍ୟସରକାର ଧାନମଣ୍ଡି ଗୁଡିକୁ ବନ୍ଦ କରୁଛନ୍ତି । କିନ୍ତୁ ଅନ୍ୟପକ୍ଷରେ ଏବେବି ଅନେକ ସ୍ଥାନରେ ହଜାର ହଜାର କ୍ୱିଂଟାଲ ଧାନ ପଡିରହିଛି । ରବି ଧାନ ଚାଷ କରିଥିବା ଚାଷୀମାନଙ୍କ ପାଇଁ ଏପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ ।

ଧାନ ଅମଳ ସରିବା ପରେ ବି ଚାଷୀ ତାର ଧାନ ବିକ୍ରି କରିପାରୁନାହିଁ I ମଣ୍ଡି ନଖୋଲିବା ଯୋଗୁଁ ଧାନଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି  ଶିବାଜୀ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ତାଙ୍କ ଅପାରଗତାକୁ ଲୁଚାଇବାକୁଯାଇ ନିଜ ପିଠି ଥାପୁଡାଇ ବାହା ବାହା ନେଉଛନ୍ତି । ରାଜ୍ୟରେ ମୌସୁମୀ ସକ୍ରିୟ ହେବା ପରେ ବି ରାଜ୍ୟ ସରକାର ଏବଂ କୃଷି ବିଭାଗର ଏପର୍ଯ୍ୟନ୍ତ ନିଦ ଭାଙ୍ଗିନାହିଁ ।
ମଣ୍ଡି ଆଗରେ ଧାନ ବସ୍ତା ପଡିରହିଥିବାବେଳେ ହଠାତ୍ ରାଜ୍ୟସରକାର ଧାନ ସଂଗ୍ରହ ଅବଧି ଶେଷ ହୋଇଛି କହି ନିଜ
ଦାୟୀତ୍ୱରୁ ଖସି ଯିବାକୁ ବସିଛନ୍ତି ।

ଚାଷୀ ମଣ୍ଡିରେ ଧାନ ବିକ୍ରି କରିନପାରି ଅସାଧୁ ମିଲର ମାନଙ୍କୁ କ୍ୱିଂଟାଲ ପିଛା ୯୦୦ ରୁ ୧୦୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ରାଜ୍ୟସରକାରଙ୍କ ଚାଷୀ ବିରୋଧୀ ମନୋଭାବ ଯୋଗୁଁ ଆଜି ହଜାର ହଜାର ଧାନ ବସ୍ତା ଧାନମଣ୍ଡି ଆଗରେ ଖତ ଖାଇବାକୁ ବସିଛି । ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର, କଳାହାଣ୍ଡି ଜିଲ୍ଲା ଗୁଡିକରେ ଧାନମଣ୍ଡି ଖୋଲିନାହିଁ ।

ରାଜ୍ୟସରକାର ଏବଂ କୃଷି ମନ୍ତ୍ରୀ ବସ୍ତୁ ସ୍ଥିତି ଉପରେ ସଂପୂର୍ଣ୍ଣରୂପେ ଅବଗତ ନାହାଁନ୍ତି । ବରଗଡ ଜିଲ୍ଲାର ମହାଡ, ଅଗଲପୁର, ବରପାଲି ଓ ରେମଟା ଆଦି ମଣ୍ଡିରେ ଆଜି ମଧ୍ୟ ୨୫ ହଜାରରୁ ଅଧିକ କ୍ୱିଂଟାଲ ଧାନ ପଡିରହିଛି । କଳାହାଣ୍ଡି ଜିଲ୍ଲାରେ ଗତ ୧୮ ତାରିଖରୁ ଧାନ କିଣା ସରିଲା କହି ଚାଷୀମାନଙ୍କୁ ଟୋକନ ଇସ୍୍ୟୁ କରାଯାଉନାହିଁ ।

ଏବେ ବି ବରଗଡ ଜିଲ୍ଲାର ବରପାଲି ମଣ୍ଡିରେ ଧାନ ଚାଷୀ ଅମୀୟ ଗଡତିଆଙ୍କ ୨୦୦ ବସ୍ତାରୁ ଅଧିକ ଧାନ
୪୫ ଦିନ ହେଲା ପଡିରହିଛି । ସେହିପରି ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଦୀର୍ଘ ଦିନ ଧରି ପଡିରହିଥିବା
ଧାନ ଗଜା ହେବାକୁ ବସିଲାଣି ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଚାଷୀଙ୍କ ହିତ ପାଇଁ ଧାନମଣ୍ଡି ବନ୍ଦ କରିବା ନିଷ୍ପତିକୁ ସ୍ଥଗିତ ରଖିବା ସହ ଧାନ କ୍ରୟ ନସରିବା ପର୍ଯ୍ୟନ୍ତ ମଣ୍ଡି ଖୋଲା ରଖିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।

Spread the love