କୋଟିଆରେ ଫେଲ୍ ମାରୁଛି ଆନ୍ଧ୍ରର ରଣନୀତି

କୋରାପୁଟ ୨୩।୧୨: ଆନ୍ଧ୍ରକୁ କଡା ଜବାବ ଦେଉଛି କୋରାପୁଟ ଜିଲ୍ଲା ପ୍ରଶାସନ । ଗଞ୍ଜେଇ ପଦରଠାରେ ଆନ୍ଧ୍ର ପକ୍ଷରୁ ନିର୍ମାଣ କରାଯାଉଥିବା ଅଙ୍ଗନୱ୍ବାଡି କେନ୍ଦ୍ର କାମକୁ ବନ୍ଦ କରିଛନ୍ତି ପଟାଙ୍ଗି ପୋଲିସ ଓ ତହସିଲଦାର । ଘଟଣାସ୍ଥଳରେ ଥିବା ଆନ୍ଧ୍ର କର୍ମଚାରୀ ଓ ଠିକାଦାରଙ୍କୁ ମଧ୍ୟ ତଡି ଦେଇଛନ୍ତି । ଏହାସହ କୋଟିଆଠାରେ ଆନ୍ଧ୍ରକୁ ସଂଯୋଗ କରୁଥିବା ରାସ୍ତାରେ ଚେକ୍ ପୋଷ୍ଟ କରି ଯାଞ୍ଚକୁ କଡାକଡି କରାଯାଇଛି ।

ଆନ୍ଧ୍ର ପଟୁ କୋଟିଆକୁ ଆସୁଥିବା ଗାଡିଗୁଡିକୁ ଯାଞ୍ଚ କରାଯିବା ସହ ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆନ୍ଧ୍ର ଅଧିକାରୀମାନେ ଗଞ୍ଜେଇପଦରରେ ଉପସ୍ଥିତ ରହି ଅଙ୍ଗନୱ୍ବାଡି କେନ୍ଦ୍ର ନିର୍ମାଣ କରୁଥିବା ଖବର ପାଇ ଘଟଣାସ୍ଥଳକୁ ଯାଇ ପଟାଙ୍ଗି ପୋଲିସ ଓ ତହସିଲଦାର କାମ ବନ୍ଦ କରିଛନ୍ତି ।

ବୁଧବାର ଆନ୍ଧ୍ର ଅଧିକାରୀମାନେ କୋଟିଆରେ ପ୍ରବେଶ କରି ଅଙ୍ଗନୱ୍ବାଡି ଖାଦ୍ୟ ବଣ୍ଟନ କରିଥିଲେ ଏହା ସହ ଫାଟୁସେନେରୀ ଠାରେ ମହିଳା ସମାବେଶ କରି ଋଣ ପ୍ରଦାନ କରିବାକୁ ହିତାଧିକାରୀ ଚୟନ କରିଥିଲେ । ତେବେ କୋରାପୁଟ ଜିଲ୍ଲାପାଳ ଆନ୍ଧ୍ର ଅନୁପ୍ରବେଶ ଉପରେ ମୁହଁ ନଖୋଲିଲେ ମଧ୍ୟ ଆନ୍ଧ୍ରର ପ୍ରତ୍ୟେକ ରଣନୀତିକୁ ମାତ ଦେଇ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାରେ ଲାଗିଛନ୍ତି ।

Spread the love