ଦକ୍ଷିଣ ଆଫ୍ରିକା ଗସ୍ତରେ କୋହଲି ପାଇଁ ବଡ ସୁଯୋଗ; ପଛରେ ପଡିଯିବେ ଲକ୍ଷ୍ମଣ, ଦ୍ରାବିଡ ଏବଂ ସେହଓ୍ବାଗ !

ନୂଆଦିଲ୍ଲୀ ୨୩/୧୨ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଷ୍ଟ ସିରିଜ୍‌ । ସାଉଥ୍ ଆଫ୍ରିକା ମାଟିରେ ପ୍ରଥମ ଟେଷ୍ଟ ସିରିଜ୍‌ ଜିତିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ । ଏହି ମିଶନକୁ ସଫଳ କରାଇବାକୁ ହେଲେ ବିରାଟ କୋହଲିଙ୍କ ଭଳି ଭେଟେରାନ୍‌ ଖେଳାଳିଙ୍କୁ ଦମଦାର ପ୍ରଦର୍ଶନ କରିବାକୁ ହେବ ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଗସ୍ତରେ ବିରାଟ କୋହଲିଙ୍କ ପାଇଁ ଏକ ବଡ ରେକର୍ଡ କରିବାର ସୁଯୋଗ ରହିଛି । ଟେଷ୍ଟ କ୍ରିକେଟରେ ୮ ହଜାର ରନ୍‌ ପୂରଣ କରିବା ପାଇଁ କୋହଲିଙ୍କୁ ଆଉ ମାତ୍ର ୧୯୯ରନର ଆବଶ୍ୟକତା ରହିଛି । ଏହି ରେକର୍ଡ ହାସଲ କରି​‌ଲେ ୬ଷ୍ଠ ଭାରତୀୟ ଖେଳାଳି ଭାବେ ବିରାଟ କୋହଲିଙ୍କ ନାଁ ଲିପିବଦ୍ଧ ହୋଇରହିବ ।

ସଚିନ୍‌ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୁନୀଲ ଗାଭାସ୍କର, ଭିଭିଏସ୍‌ ଲକ୍ଷ୍ମଣ ଏବଂ ବୀରେନ୍ଦ୍ର ସେହଓ୍ବାଗଙ୍କ ପରେ ୮ ହଜାର ଟେଷ୍ଟ ରନ୍‌ କ୍ଲବରେ ସାମିଲ ହେବେ ବିରାଟ କୋହଲି । ତେନ୍ଦୁଲକର ୨୫୧ଟି ଇନିଂସରୁ ଏହି କେରର୍ଡରେ ସାମିଲ ହୋଇଥିବା ବେଳେ ଦ୍ରାବିଡ ୧୫୮ ଇନିଂସ ଏବଂ ସେହଓ୍ବାଗ ୧୬୦ ଇନିଂସରୁ ୮ ହଜାର ରନ କ୍ଲବରେ ସାମିଲ ହୋଇଥିଲେ । ତେବେ ଯଦି କୋହଲି ସେଞ୍ଚୁରିୟନ ଟେଷ୍ଟର ପ୍ରଥମ ଇନିଂସରେ ହିଁ ୧୯୯ରନ କିମ୍ବା ତାଠାରୁ ଅଧିକ କରିନିଅନ୍ତି ତେବେ ସେ ତୃତୀୟ ସବୁଠାରୁ ଦ୍ରୁତ ଖେଳାଳି ହୋଇଯିବେ । କିନ୍ତୁ ଚିନ୍ତାର କାରଣ ହେଉଛି ଗତ ୨ ବର୍ଷ ହେଲା କୋହଲି ଗୋଟିଏ ହେଲେ ଶତକ ହାସଲ କରିପାରିନାହାନ୍ତି ।

କୋହଲି ବର୍ତ୍ତମାନ ସୁଦ୍ଧା ୯୭ଟି ଟେଷ୍ଟ ମ୍ୟାଚ୍‌ରୁ ୫୦.୬୫ ହାରରେ ୭୮୦୧ ରନ କରିଛନ୍ତି । ଭାରତୀୟ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକାରେ ସବୁଠାରୁ ଅଧିକ ରନ ସ୍କୋର କରିବାରେ ବିରାଟ କୋହଲି ଚତୁର୍ଥ ସ୍ଥାନରେ ରହିଛନ୍ତି । ସାଉଥ୍ ଆଫ୍ରିକାରେ କୋହଲି ମୋଟ ୫ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେ ୫୫.୮୦ ହାରରେ ୫୫୮ ରନ କରିଛନ୍ତି ଯେଉଁଥିରେ ୨ଟି ଶତକ ଏବଂ ୨ଟି ଅର୍ଦ୍ଧଶତକ ସାମିଲ ଅଛି ।

ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍‌ରେ ଆଉ ଏକ ରେକର୍ଡ ମଧ୍ୟ ଭାଙ୍ଗିପାରନ୍ତି କୋହଲି । କୋହଲିଙ୍କ ନିକଟରେ ଭିଭିଏସ୍‌ ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡଙ୍କୁ ଟପିବାର ସୁଯୋଗ ରହିଛି । ଦକ୍ଷିଣ ଆଫ୍ରିକାରେ ତେନ୍ଦୁଲକର ୧୫ ଟେଷ୍ଟ ମ୍ୟାଚ ଖେଳି ସର୍ବାଧିକ ୧୧୬୧ ରନ କରିଥିବା ବେଳେ, ଲକ୍ଷ୍ମଣ ୫୬୬ ରନ ଏବଂ ଦ୍ରାବିଡ ୬୨୪ ରନ କରିଛନ୍ତି । ତେନ୍ଦୁଲକରଙ୍କୁ ଅବଶ୍ୟ ପଛରେ ପକାଇବା ମୁସ୍କିଲ ହୋଇପାରେ କିନ୍ତୁ ଦ୍ରାବିଡ ଏବଂ ଲକ୍ଷ୍ମଣଙ୍କୁ ପଛରେ ପକାଇବାର ସୁଯୋଗ ରହିଛି ।

ଅନ୍ୟପଟେ, ଓ୍ବିକେଟ କିପର ଋଷଭ ପନ୍ତ ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ଓ୍ବିକେଟ ପଛରେ ସବୁଠାରୁ ଦ୍ରୁତ ୧୦୦ ଓ୍ବିକେଟ ନେବାର ଭାରତୀୟ ଓ୍ବିକେଟ କିପର ହୋଇପାରନ୍ତି । ଧୋନୀ ମୋଟ ୩୬ ଟେଷ୍ଟ ମ୍ୟାଚ ଖେଳି ଷ୍ଟମ୍ପ ପଛ​‌ରେ ୧୦୦ ଓ୍ବିକେଟ ନେବାରେ ସକ୍ଷମ ହୋଇଥିଲେ । ତେଣୁ ଧୋନୀଙ୍କ ଏହି ରେକର୍ଡ ଭାଙ୍ଗିବାକୁ ହେଲେ ପନ୍ତଙ୍କୁ ଆଉ ମାତ୍ର ୩ଟି ଓ୍ବିକେଟ ନେବାକୁ ପଡିବ । ଭାରତୀୟ ଓ୍ବିକେଟ କିପର ଭାବେ ଏମ୍‌ଏସ୍‌ ଧୋନୀ ୨୯୪ ଓ୍ବିକେଟ ନେଇଥିବା ବେଳେ, ସୟଦ କିରମାନୀ ୧୯୮, କିରଣ ମୋରେ ୧୩୦, ନୟନ ମୋଙ୍ଗିୟା ୧୦୭ ଓ୍ବିକେଟ ଏବଂ ରିଦ୍ଧିମାନ ଶାହା ୧୦୪ ଓ୍ବିକେଟ ନେଇଛନ୍ତି । ସେହିଭଳି ଋଷଭ ପନ୍ତ ମାତ୍ର ୨୫ ଟେଷ୍ଟରୁ ଓ୍ବିକେଟ ପଛରେ ୯୭ଟି ଓ୍ବିକେଟ ନେଇସାରିଲେଣି ।

Spread the love