୨୬ ବର୍ଷ ତଳେ ଇଣ୍ଟରନେଟକୁ ନେଇ କ’ଣ କହିଥିଲେ ବିଲ୍ ଗେଟ୍ସ ? ଭିଡିଓ ସେୟାର କଲେ ଏଲନ ମସ୍କ

ନୂଆଦିଲ୍ଲୀ, ୨୬|୧୨: ଟାଇମ୍ସ ମାଗାଜିନ୍ ପର୍ସନ ଅଫ୍ ଦି ଇଅର ଏଲନ ମସ୍କ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି । ଏଥିରେ ବିଲ୍ ଗେଟସଙ୍କର ଏକ ସାକ୍ଷାତକାର ରହିଛି । ଯେଉଁଥିରେ ବିଲ୍ ଗେଟସ୍ ଡେଭିଡ୍ ଲେଟରମ୍ୟାନଙ୍କ ସହ ଆଲୋଚନା କରୁଛନ୍ତି । ଏହି କାର୍ଯ୍ୟକ୍ରମର ପରିଚାଳକ ବିଲ୍ ଗେଟ୍ସଙ୍କୁ  ଇଣ୍ଟରନେଟ୍ ଉପରେ କଟାକ୍ଷ କରି କିଛି କହୁଥିବା ଦେଖିବାକୁ ମିଳିଛି ।  

ସୂଚନାନୁସାରେ, ଡିସେମ୍ବର ୨୦ରେ ଏଲନ୍ ଟିକଟକର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, କାର୍ଯ୍ୟକ୍ରମର ପରିଚାଳକ ବିଲଙ୍କୁ ଇଣ୍ଟରନେଟ୍ ବାବଦରେ ପ୍ରଶ୍ନ କରୁଛନ୍ତି । ଏହା କେତେ ଉପଯୋଗୀ ବୋଲି ସେ ପ୍ରଶ୍ନ କରିବା ସହ କଟାକ୍ଷ ମଧ୍ୟ କରୁଛନ୍ତି । ଏହି ପ୍ରଶ୍ନ ଶୁଣି ସେଠାରେ ଉପସ୍ଥିତ ଦର୍ଶକ ହସିଥିଲେ । ଏହାର ଜବାବରେ ବିଲ୍ ଗେଟ୍ସ ହସିବା ସହ  ଏହି ହସ ହିଁ ଉତ୍ତର ବୋଲି କହିଥିଲେ ।

ବିଲ୍ ଗେଟ୍ସ ଆହୁରି କହିଥିଲେ ଯେ, ଇଣ୍ଟରନେଟ୍ ହେଉଛି ଏପରି ଏକ ସ୍ଥାନ ଯେଉଁଥିରେ ୟୁଜର ବିଭିନ୍ନ ତଥ୍ୟ ଜାଣିପାରିବେ । ବିଭିନ୍ନ କମ୍ପାନୀ ନିଜ ନିଜର ପ୍ରମୋସନ କରିପାରିବେ । ଇମେଲ୍ ମଧ୍ୟ ପଠାଇପାରିବେ । ଲୋକମାନେ ଯାହାକୁ ଭଲ ଭାବେ ଜାଣନ୍ତି ନାହିଁ ତାକୁ ହିଁ  କଟାକ୍ଷ କରୁଥିବା ସେ କହିଛନ୍ତି ।

ବିଲ୍ ଗେଟ୍ସ ଆହୁରି କହିଥିଲେ ଯେ, ଇଣ୍ଟରନେଟରେ ଏକ ବଡ ଇଭେଣ୍ଟର ଟେଲିକାଷ୍ଟ ହୋଇ ପାରିଥିଲା । ସମସ୍ତେ ନିଜ କମ୍ପ୍ୟୁଟରରେ ବେସବଲର ଲାଇଭ୍ ଅପଡେଟ୍ ରେଡିଓ ଭଳି ଶୁଣି ପାରିଥିଲେ । ଏପରିକି ବେସ୍ ବଲ ଗେମର ସମସ୍ତ ତଥ୍ୟ ଇଣ୍ଟରନେଟରେ ଷ୍ଟୋର ହୋଇ ରହିଥିବା ମଧ୍ୟ ଜବାବ ରଖିଥିଲେ ଗେଟ୍ସ  ।

ଏଲନ୍ ମସ୍କ ସେୟାର କରିଥିବା ଏହି ଭିଡିଓକୁ ୪୦ ଲକ୍ଷରୁ ଅଧିକ ୟୁଜର ଦେଖି ସାରିଲେଣି । ନେଟିଜେନ୍ସ ମଧ୍ୟ ଏହା ଉପରେ କେମଣ୍ଟ୍ ଦେଇଥିବା ନଜର ଆସିଛି ।

Spread the love