ଭୁଶୁଡ଼ିଲା ରତ୍ନଗିରିରେ ଡ୍ୟାମ, ୨ ମୃତ, ୨୩ ନିଖୋଜ

ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ମଙ୍ଗଳବାର ୩୭ ଜଣଙ୍କର ମୃତ୍ୟୁ ହେବା ପରେ ବୁଧବାର ରତ୍ନଗିରିର ତିଭରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷାରେ ଏଠାରେ ଥିବା ଡ୍ୟାମ ଭୁଶୁଡ଼ିବାରୁ ଏହି ଘଟଣା ଘଟିଛି । ଡ୍ୟାମରୁ ନିର୍ଗତ ବନ୍ୟା ଜଳରେ ୨୩ ଜଣ ନିଖୋଜ ଅଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଏନଡିଆରଏଫ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । ଡ୍ୟାମ ଭୁଶୁଡ଼ିବାରୁ ୭ଟି ଗାଁ ଜଳମଗ୍ନ ହୋଇଛି । ଅଚାନକ ହୋଇଥିବା ଦୁର୍ଘଟଣାରେ ୨୩ ଜଣ ନିଖୋଜ ଥିବା ବେଳେ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । 

ମଙ୍ଗଳବାର-ବୁଧବାର ବିଳମ୍ବିତ ରାତିରେ ଡ୍ୟାମ ଭାଙ୍ଗିବା ପରେ ଆଖପାଖ ଅଚଂଳରେ ଅଚାନକ ବନ୍ୟା ସୃଷ୍ଟି ହୋଇଛି । ସ୍ଥାନୀୟ ପ୍ରଶାସନ, ପୋଲିସ ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଉଦ୍ଧାର କାମରେ ଲାଗିଛନ୍ତି । ଏତଦ ବ୍ୟତୀତ ଏନଡିଆରଏଫ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଉଦ୍ଧାର ହୋଇଥିବା ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

ବର୍ଷାକୁ ନେଇ ଭାରତୀୟ ପାଣିପାଗ ବିଭାଗ  ସତର୍କ ସୂଚନା ଜାରି କରିଛି । ମହାରାଷ୍ଟ୍ରର ଉପକୂଳ ଅଂଚଳର ଆକାଶରେ ବାଦଲ ବୁଲୁଛି । ଏହାରି ପ୍ରଭାବରେ ଦକ୍ଷିଣ ଗୁଜୁରାଟ ଓ ଆଖପାଖ ଅଂଚଳରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରୁଛି । 

Spread the love