ରାଜ୍ୟ ସରକାରଙ୍କ ଜାନୁଆରୀ ଗାଇଡଲାଇନ୍‌: ପିକ୍‌ନିକ୍‌ ସମ୍ପୂର୍ଣ୍ଣ ଭାବେ ବନ୍ଦ, ନୂଆ ବର୍ଷ ପାଇଁ କଡା କଟକଣା

ଭୁବନେଶ୍ବର : ଓମିକ୍ରନ୍‌ ଭୟାବହତା ମଧ୍ୟରେ ରାଜ୍ୟ ସରକାର ଜାନୁଆରୀ ମାସରେ ନୂଆ ଗାଇଡଲାଇନ୍‌ ଜାରିକରାଯାଇଛି । ଆସନ୍ତା ୨୦୨୨ ଜାନୁଆରୀ ୧ ତାରିଖରୁ ଫେବୃଆରୀ ୧ ତାରିଖ ସକାଳ ୫ଟା ଯାଏଁ କଟକଣା ଜାରି କରାଯାଇଛି । ମାସେ ପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁହେବ ନାଇଟ୍‌ କର୍ଫ୍ୟୁ। ଜାନୁଆରୀ ୧ ତାରିଖରୁ ଲାଗୁହେବ ଏହି କଟକଣା । ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଜାନୁଆରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ, ସାମାଜିକ ତଥା ଧାର୍ମିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ୧୦୦ ଜଣଙ୍କୁ ନେଇ ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିବ । ଏହି ସମୟରେ କୋଭିଡ ନିୟମ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ବାଣିଜ୍ୟ ମେଳା, ପ୍ରଦର୍ଶନୀ, ମେଳା ବନ୍ଦ ରହିବ । କିନ୍ତୁ ଜିଲ୍ଲା ପ୍ରଶାସନ ଚାହିଁଲେ ଅନୁମତି ଦେଇପାରିବେ ।

ଜାନୁଆରୀ ମାସରେ ପିକ୍‌ନିକ୍‌ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ସମୁଦ୍ର କୂଳ ଏବଂ ଅନ୍ୟାନ୍ୟ ସ୍ଥାନକୁ ପିକ୍‌ନିକ୍‌ ଯିବା ମନା । ଏହା ସହିତ ହୋଟେଲ, କଲ୍ୟାଣ ମଣ୍ଡପ​‌, ପାର୍କ, କନଭେନସନ୍‌ ହଲ୍‌ ମାନଙ୍କରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପରିବ ନାହିଁ । କୌଣସି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କୁ ପିକ୍‌ନିକ୍‌ ନେଇପାରିବେ ନାହିଁ । ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ଯାତ୍ରା, ଥିଏଟର କରାଯାଇପାରିବ । ସିନେମା ହଲ୍, ଥିଏଟର ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲର ରହିବ ।

ନୂଆ ବର୍ଷ ଏବଂ ଖ୍ରୀଷ୍ଟମାସ ସେଲିବ୍ରେସନକୁ ନେଇ ସ୍ବତନ୍ତ୍ର ଗାଇଡଲାଇନ୍‌ ଜାରିକରାଯାଇଛି । ଡିସେମ୍ବର ୩୧ ତାରିଖ ଏବଂ ଜାନୁଆରୀ ୧ ଏବଂ ୨ ତାରିଖରେ କଡା କୋଭିଡ୍‌ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଗାଇଡଲାଇନ୍‌ ଅନୁଯାୟୀ ହୋଟେଲ, କ୍ଲବ୍‌, ରେଷ୍ଟୁରାଣ୍ଟ, ପାର୍କ, କନଭେନସନ୍‌ ହଲ୍, କଲ୍ୟାଣ ମଣ୍ଡପମାନଙ୍କରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌, ନୂଆ ବର୍ଷ ପାଳନ ଉପରେ କଟକଣା ଜାରିକରାଯାଇଛି । ବାହାଘର ପାଇଁ ଅନୁମତି ମିଳିପାରିବ କିନ୍ତୁ ବିବାହ ଭୋଜି କିମ୍ବା ଫଙ୍କସନ୍‌ ହୋଇପାରିବ ନାହିଁ ।ଏହା ସହିତ ସୁଦ୍ଧିକ୍ରିୟା କୋଭିଡ୍‌ କଟକଣା ପାଳନ କରି ହୋଇପାରିବ । ସାମାଜିକ ଏକତ୍ରିକରଣ, ରାଲି, ବ୍ୟାଣ୍ଡ ପାର୍ଟି, ଡ୍ୟାନ୍ସ ଏବଂ ସାଂସୃତିକ କାର୍ଯ୍ୟକ୍ରମ ଉପରେ ରୋକ୍‌ ଲଗାଯାଇଛି ।

କଣ ଖୋଲା ରହିବ?

ବାଣିଜ୍ୟିକ ସଂସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରୁଥିବା ସଂସ୍ଥା, ପନିପରିବା ଦୋକାନ, ମେଡିସିନ୍‌ ଷ୍ଟୋର, ଅପଟିକାଲ ଷ୍ଟୋର ଖୋଲା ରହିବ । ଖାଦ୍ୟ ସାମଗ୍ରୀ, ଗ୍ରୋସରୀ, ପନିପରିବା, ମାଛ, ମାଂସ, ଅଣ୍ଡା ହୋମ ଡେଲିଭେରିକୁ ଅନୁମତି ଦିଆଯାଇଛି । ସ୍ବିଗି, ଜୋମାଟୋ କାରବାର ଖୋଲା ରହିବ । କୋଭିଡ୍‌ ଟେଷ୍ଟିଂ, ଭ୍ୟାକସିନ୍‌ ସେଣ୍ଟର, ଭ୍ୟାକସିନ୍‌ ନେବାକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ କୌଣସିୁ ପ୍ରତିବନ୍ଧକ ରହିବ ନାହିଁ । ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ଦୁଇ ଚକିଆ ଏବଂ ଚାରି ଚକିଆ ଯାନବାହନ ଚଳାଚଳ ଜାରିରହିବ ।

Spread the love