ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ଶକ୍ତି ପ୍ରଦର୍ଶନ, ବିଭିନ୍ନ ଦଳରୁ ୫୮୭ କର୍ମୀ ସାମିଲ୍

ରାଇରଙ୍ଗପୁର, ୩୦/୧୨: ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ବିଭିନ୍ନ ରାଜନୈତିକ ଦଳର କସରତ। ନିଜ ନିଜ ଦଳପ୍ରତି ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ଚାଲିଛି ପ୍ରୟାସ। ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର କଲ୍ୟାଣୀ ମଣ୍ଡପ ଠାରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ମୟୁରଭଞ୍ଜ ଜିଲ୍ଲାରେ ୫୬ଟି ଜୋନ୍ ରହିଥିବା ବେଳେ ବିଜେପି ନିଜ ଦଳକୁ ଆହୁରି ମଜବୁତ ଓ କର୍ମୀଙ୍କୁ ସକ୍ରିୟ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଆଜି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ରାଇରଙ୍ଗପୁରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗଦାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ମିଶ୍ରଣ ପର୍ବରେ ୫୮୭ ଜଣ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗଦାନ କରିଥିଲେ।

ତେବେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ବିଜୟ ଲାଭ କରିଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ନିଶ୍ଚିତ ଭାବରେ ଏହାର ପ୍ରଭାବ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଟୁଡୁ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ରାଇରଙ୍ଗପୁର ବିଧାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।

Spread the love