ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପ୍ରସଙ୍ଗ : ବାଚସ୍ପତି କହିଲେ- ୬ମାସ ମଧ୍ୟରେ ହେବ ଉପ ନିର୍ବାଚନ
ଭୁବନେଶ୍ବର ୧।୧: ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଦେହାନ୍ତ ପରେ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ କମିଶନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ବାବଦରେ ଅବଗତ କରାଯାଇଛି । ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ନିୟମ ଅନୁସାରେ ୬ ମାସ ମଧ୍ୟରେ ଉପ ନିର୍ବାଚନ ହେବ ।
ସୂଚନାଯୋଗ୍ୟ ଯେ, ଗତ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହୋଇଥିଲା । ନିଜ କାର୍ଯ୍ୟାଳୟରେ ବସିଥିବା ବେଳେ ହୃଦଘାତରେ ପ୍ରାଣ ହରାଇଥିଲେ କିଶୋର । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସେ ଝାରସୁଗୁଡାରୁ ୩ ଥର ଓ ବ୍ରଜରାଜନଗରରୁ ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଥରେ ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇଥିଲେ ।
୨୦୦୭ ରୁ ୨୦୦୯ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଦାୟିତ୍ବ ମଧ୍ୟ ତୁଲାଇଥିଲେ । ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ସରକାରୀ ଦଳ ମୁଖ୍ୟ ସଚେତକ ମଧ୍ୟ ଥିଲେ । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ପଶ୍ଚିମଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ତୁଲାଇଥିଲେ ।