ବାରିପଦାରେ ଖୋଲିଲା ମଣ୍ଡି, ମାର୍ଚ୍ଚ ୩୧ ଯାଏଁ ଚାଲିବ ଧାନକିଣା

ବାରିପଦା, ୦୩/୦୧: ମୟୂରଭଞ୍ଜ ଜିଲ୍ଲାରେ ସୋମବାରଠାରୁ ଖରିଫ ଋତୁ ପାଇଁ ଧାନ ମଣ୍ଡି ଖୋଲିଛି । ବାରିପଦା ସହର ନିକଟ ଶ୍ୟାମାଖୁଣ୍ଟା ଲ୍ୟାମ୍ପରେ ଏହାକୁ ବିଧିବଦ୍ଧ ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ବାଜ  ଉଦଘାଟନ କରିଛନ୍ତି ।

ଜାନୁଆରୀ  ୩ ତାରିଖରୁ ଖୋଲା ଯାଇଥିବା ଏହି ମଣ୍ଡିରେ ଆଗାମୀ ମାର୍ଚ୍ଚ ମାସ ୩୧ତାରିଖ ପର୍ଯ୍ୟନ୍ତ ଧାନକିଣା ଚାଲୁ ରହିବ ।  ଅନଲାଇନ ପଞ୍ଜିକରଣ କରିଥିବା ଚାଷୀମାନେ ମୟୂରଭଞ୍ଜ ଜିଲ୍ଲାର ୫୨ଗୋଟି ଲ୍ୟାମ୍ପର ୧୦୨ଟି କେନ୍ଦ୍ରରେ ଚଳିତ ବର୍ଷ ତାଙ୍କର ଅମଳ ଧାନକୁ ବିକ୍ରି କରିବାର ବ୍ୟବସ୍ଥା କରାଯାଇଛି । ସମାସ୍ୟାର ସମ୍ମୁଖୀନ ହେଲେ ରାଜ୍ୟ  ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଟୋଲଫ୍ରି ନମ୍ବର ୧୯୬୭ ପ୍ରଦାନ କରାଯାଇଛି । ସେହିପରି ସମବାୟ ବିଭାଗ ବାରିପଦା ଜୋନ୍ ପକ୍ଷରୁ ୨୬୦୬୮୩ ନମ୍ବର ମାଧ୍ୟମରେ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ କରିବାକୁ ସୁଚନା ପ୍ରଦାନ କରାଯାଇଛି ।

କଣ୍ଟ୍ରୋଲ ରୁମରେ ଜଣେ ନୋଡାଲ ଅଫିସର ଦାୟିତ୍ୱରେ ରହିବେ ଏବଂ ୨୪ଘଣ୍ଟା ମଧ୍ୟରେ ସମାସ୍ୟାର ସମାଧାନ କରିବାର ବ୍ୟବସ୍ଥା କରାଯାଇଛି। ପ୍ରଦାନ କରାଯାଇଥିବା ଟୋକେନ ସିରିୟଲ ନମ୍ବର ଓ ପ୍ରଦତ୍ତ ହୋଇଥିବା ତାରିଖରେ ମଣ୍ଡିକୁ ଧାନ ଦେବାପାଇଁ ଚାଷୀଙ୍କୁ କୁହାଯାଇଛି । ଧାନମଣ୍ଡି କିଭଳି ଦଲାଲ୍ ମୁକ୍ତ ହେବ ସେନେଇ ଜିଲ୍ଲା ପ୍ରଶାସନ ଓ ସମବାୟ ବିଭାଗ ପକ୍ଷରୁ ଧ୍ୟାନ ଦିଆଯିବ ବୋଲି ଜିଲ୍ଲାପାଳ ବିନିତ ଭରଦ୍ବାଜ ସୂଚନା ଦେଇଛନ୍ତି ।  

Spread the love