ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ରଖିଲେ ପ୍ରତିକ୍ରିୟା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ବଜେଟ 2019-20କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରେଳବାଇକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି। ରେଳବାଇ ପାଇଁ ବର୍ଦ୍ଧିତ ଆବଣ୍ଟନ ସ୍ୱାଗତଯୋଗ୍ୟ। ଓଡ଼ିଶାର ରେଳବାଇକୁ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ମିଳିବ ବୋଲି ଆଶା କରାଯାଉଛି। ଚଳିତ ବର୍ଷର ସାଧାରଣ ବଜେଟ ସରକାରଙ୍କ ଦରଦୃଷ୍ଟିର ପରିଚୟ ବୋଲି ନବୀନ ନିଜର ପ୍ରତିକ୍ରିୟାରେ କହିଛନ୍ତି।

ସ୍ୱାସ୍ଥ୍ୟ, ଶିକ୍ଷା ଓ ଦକ୍ଷତା ବିକାଶରେ ଅଧିକ ଆବଣ୍ଟନକୁ ସ୍ୱାଗତ ଜଣାଉଛି ବୋଲି ନବୀନ କହିଛନ୍ତି। ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଆବଣ୍ଟନକୁ ସ୍ୱାଗତ। ପିଇବା ପାଣି ଓ ଜୀବିକା ମିଶନ କ୍ଷେତ୍ରକୁ ଭଲ ପ୍ୟାକେଜ ଘୋଷଣା କରାଯାଇଛି। ମନରେଗା ଓ ଏସସି/ଏସଟିଙ୍କ ପାଇଁ ବଜେଟ କମିବା ଚିନ୍ତାର ବିଷୟ।

ଏନ୍‌ଏସ୍‌ଏପି ଯୋଜନାରେ ପେନ୍‌ସନ ପାଇଁ କମ୍‌ ବ୍ୟୟ ବରାଦ ବି ଚିନ୍ତାଜନକ। ଏନ୍‌ଏଚ୍‌ ପାଇଁ କମ୍‌ ବ୍ୟୟ ଅନ୍ତଃରାଜ୍ୟ ଯୋଗାଯୋଗକୁ ପ୍ରଭାବିତ କରିବ। ଓଡ଼ିଶା ପାଇଁ ଅଧିକ ବରାଦ ହେବା ନେଇ ମୁଁ ଆଶାବାଦୀ। ପିଏମ୍‌ କିଷାନ ଯୋଜନାରେ କାଳିଆ ଭଳି ସୁବିଧା ଦିଆଯାଇ ପାରିଥା’ନ୍ତା। ଭୂମିହୀନ ଓ ଭାଗଚାଷୀଙ୍କୁ ଯୋଜନାରେ ସାମିଲ କରାଯାଇ ପାରିଥା’ନ୍ତା ବୋଲି ନବୀନ କହିଛନ୍ତି। ପିଏମ୍‌ କିଷାନ ଯୋଜନାରେ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ନବୀନ ଆଶା କରିଛନ୍ତି। କାଳିଆ ଯୋଜନା ପରି କେନ୍ଦ୍ର ଭୂମିହୀନ ଶ୍ରମିକ ଓ ଭାଗଚାଷୀଙ୍କୁ ଏହି ଯୋଜନାରେ ସାମିଲ କରନ୍ତୁ।

Spread the love