ଆଜି ହେରାପଞ୍ଚମୀ

ଶ୍ରୀମନ୍ଦିର ଛାଡ଼ି ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି ମହାପ୍ରଭୁ। ସାଙ୍ଗରେ ଭାଇ-ଭଉଣୀଙ୍କୁ ଧରି ଚାଲି ଆସିଥିବାରୁ ବିରହିଣୀ ମା’ ଲକ୍ଷ୍ମୀ ଠାକୁରାଣୀ ଚିନ୍ତାରେ ଅଛନ୍ତି। ବିରହ ବେଦନାକୁ ମା’ ଭଗନୀ ବିମଳାଙ୍କ ପାଖରେ ପ୍ରକାଶ କରିବା ପରେ ଗୁଣ୍ଡିଚାବାଡ଼ିକୁ ଗୋପନରେ ଯାତ୍ରା କରିବା ପାଇଁ ମା’ ବିମଳାଙ୍କଠାରୁ ପରାମର୍ଶ ମିଳିଛି। ଅଭିମାନୀ ଲକ୍ଷ୍ମୀ ଠାକୁରାଣୀ ଗୋପନ ଯାତ୍ରାରେ ଯାଇ ରଥ ଭାଙ୍ଗି ଫେରିବେ। ସେପଟେ ଆଜି ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସଂପନ୍ନ ହୋଇଛି। ଏଥି ପାଇଁ ଆଜି ରାତି ୯ଟାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଥିଲା। ତେବେ ଆଜି ରବିବାର ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ କରିଛନ୍ତି।

ପରମ୍ପରା ମୁତାବକ ମା’ ବିମଳାଙ୍କ ପରାମର୍ଶକ୍ରମେ ଆଜି ଲକ୍ଷ୍ମୀ ଠାକୁରାଣୀ ଶ୍ରୀଜିଉଙ୍କୁ ଭେଟିବା ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିବେ। ଏହି ପରମ୍ପରା ଆଧାରରେ ହେରାପଞ୍ଚମୀ ନୀତି ପାଳନ ହୋଇଆସୁଛି। ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଗୋପନ ଯାତ୍ରା ଖବର ପାଇବା ପରେ ମହାପ୍ରଭୁ ବି ନିଜେ ସଜେଇ ହେବା ଆରମ୍ଭ କରିଛନ୍ତି। ଆଜି ରାତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଛି। ବିଳମ୍ୱିତ ରାତିରେ ଦତ୍ତମହାପାତ୍ର ସେବକମାନେ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ କରିବା ପରେ ଆଡ଼ପ ମଣ୍ଡପରେ ଅଧିଷ୍ଠିତ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତସେବା ବନକଲାଗି ନୀତି ସମ୍ପନ୍ନ କରିଛନ୍ତି। ବଡଦେଉଳ ସ୍ୱତ୍ତ୍ୱ ଲିପି ମୁତାବକ ହେରାପଞ୍ଚମୀ ଉପଲକ୍ଷେ ଭଣ୍ଡାର ଘରେ ବିଜେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକ ମାଜଣା କରିବେ। ଏହା ପରେ ବନକ ଲାଗି, ପାଟ ଶାଢ଼ି, ଅଳଙ୍କାର ଆଭୂଷଣ ହୋଇ ପୂଜାପଣ୍ଡା ସେବକ ପନ୍ତି ଭୋଗ କରିବେ। ବଟବୃକ୍ଷ ତଳେ ଠିଆ ହୋଇଥିବା ବିମାନରେ ମା’ ଲକ୍ଷ୍ମୀ ଠାକୁରାଣୀ ବଡ଼ଦାଣ୍ଡ ଦେଇ ଘଣ୍ଟ ଛତା ପଟୁଆରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସାକ୍ଷାତ କରିବାକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ହେରାପଞ୍ଚମୀ ନୀତି ନନ୍ଦିଘୋଷ ରଥ ପାଖରୁ ଆରମ୍ଭ ହୋଇ ନାକଚଣା ଦ୍ୱାର ନିକଟରେ ଶେଷ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରିଛି।

Spread the love