ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ

ମୁନିଗୁଡା, ୧୭/୦୧:  ଆଉ ନାହାନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ । ରବିବାର ବିଳମ୍ବିତ ରାତିରେ ରାୟଗଡା ଜିଲ୍ଲା ଗୁଣୁପୁର ସେବାସମାଜ ପରିସରରେ ୮୮ ବର୍ଷ ବୟସରେ ସେ ଶେଷ ନିସ୍ବାସ ତ୍ୟାଗ କରିଛନ୍ତି ।

ରବିବାରଠାରୁ ତାଙ୍କୁ ସାମାନ୍ୟ ଜ୍ବର ହୋଇଥିବା ବେଳେ ବିଳମ୍ବିତ ରାତିରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ସେ ଚେତାଶୁନ୍ୟ ହୋଇପଡିଥିଲେ । ସେହି ଅବସ୍ଥାରେ ହି ସେ ସବୁଦିନ ପାଇଁ ଆଖି ବୁଜିଥିଲେ । ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାର ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ରମେଶ ଚନ୍ଦ୍ର ସାହୁ ସେବା ସମାଜରେ ପହଞ୍ଚି ଶାନ୍ତିଦେବୀଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ ।

ବିଶିଷ୍ଟ ଗାନ୍ଧିବାଦୀ ନେତା ସ୍ବର୍ଗତ ଡ. ରତନଦାସଙ୍କ ଧର୍ମ ପତ୍ନୀ ହେଉଛନ୍ତି ଶାନ୍ତୀ ଦେବୀ । ନିଜର ଜନସେବା, ନିଷ୍ଠାପର ସାଧନା, ଅନାଥ ଓ ଆଦିବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା କାମରେ ସେ ଅଭିବକ୍ତ କୋରାପୁଟ ଜିଲାର ଉପାନ୍ତ ଅଞ୍ଚଳରେ ଗତ ସାତ ଦଶନ୍ଧି ଧରି କାମ କରି ଆସୁଥିଲେ ।

୧୯୩୮ ମସିହାରେ ବାଲେଶ୍ୱର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଶାନ୍ତିଦେବୀ ୧୭ ବର୍ଷ ବୟସରୁ ଆଚାର୍ଯ୍ୟ ବିନୋବା ଭାବେଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସମାଜସେବା ଆରମ୍ଭ କରିଥିଲେ । ରାୟଗଡା ଜିଲ୍ଲାର ରାୟଗଡା, ଗୁଣୁପୁର ଓ ଜବରଗୁଡା ଆଦି ସ୍ଥାନରେ ସେବା ସମାଜ ପ୍ରତିଷ୍ଠା କରି ଅନାଥ ଆଦିବାସୀ ଶିଶୁଙ୍କୁ ଶିକ୍ଷାର ଆଲୋକ ଦେଖାଉଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଗତ ନଭେମ୍ବର ୯ ତାରିଖରେ ସେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ ।

Spread the love