ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ, ଏଥର କିନ୍ତୁ ନାହିଁ ବାଜାବାଣର ରୋଷଣୀ

ଭୁବନେଶ୍ଵର ୧୭।୦୧:  ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ୱାର୍ଡ ମେମ୍ବର ଏବଂ ସରପଞ୍ଚ ପ୍ରାର୍ଥୀ ପଞ୍ଚାୟତରେ ନାମାଙ୍କନ ଦାଖଲ କରୁଥିବା ବେଳେ  ସମିତି ସଭ୍ୟ ପ୍ରାର୍ଥୀ ବ୍ଲକରେ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଉପ ଜିଲ୍ଲାପାଳଙ୍କ ଅଫିସ ଯାଇ ଭରିଛନ୍ତି ନାମାଙ୍କନ ପତ୍ର ।  ୨୧ ତାରିଖ ପର୍ଯ୍ୟନ୍ତ ନୋମିନେସନ ଫାଇଲ ଅବଧି ରହିଛି । କୋଭିଡ ପାଇଁ ନାମାଙ୍କନ ସମୟରେ ରାଲି ଶୋଭାଯାତ୍ରା ଉପରେ କଟକଣା ଥିବାରୁ  ଏଥର ପୂର୍ବ ଭଳି ନାରାବାଜି ନେତାଙ୍କ ଗହଳି ଦେଖିବାକୁ ମିଳୁନି। ସେପଟେ କେଉଁ ଦଳ କେତେ ଆସନ ହାତେଇବେ ତାକୁ ନେଇ ବିଜେଡି ବିଜେପି ଓ କଂଗ୍ରେସ ଭିତରେ ଜୋର୍ ଧରିଛି ଅଙ୍କ କଷା ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ । ରାଜ୍ୟର ବିଭିନ୍ନ ସ୍ଥାନରେ ସରପଞ୍ଚ ପଦବୀ ପାଇଁ ୧୧୨୨ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୱାର୍ଡମେମ୍ବର ପାଇଁ ୭୧୧୬ ଜଣ, ସମିତି ସଭ୍ୟ ପାଇଁ ୫୧୨ ଓ ୨୨ ଜଣ ଜିଲ୍ଲା ପରିଷଦ ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଆଜିଠୁ ଆରମ୍ଭ ହୋଇଛି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା । ପୂର୍ବଭଳି ଏଥର କିନ୍ତୁ ନାହିଁ ବାଜାବାଣର ରୋଷଣୀ । ଶୋଭାଯାତ୍ରାରେ କମ୍ପୁନି ମାହୋଲ । ନେତା କର୍ମୀଙ୍କ ଭିଡ଼ ବି ନାହିଁ । କୋଭିଡ କଟକଣା ପାଇଁ ଏକା ଏକା ଆସି ନାମାଙ୍କନ ଭରିବାକୁ ବାଧ୍ୟ ହେଉଛନ୍ତି ନେତା। ପ୍ରଥମ ଦିନରେ ନାମାଙ୍କନ ଦାଖଲରେ ଭିଡ ନଥିଲେ ବି  ଯାଜପୁରରୁ  ଜୟପୁର, ବାଲେଶ୍ବରରୁ  ବ୍ରହ୍ମପୁର, କେନ୍ଦ୍ରାପଡାରୁ କନ୍ଧମାଳ ସବୁଠି ଓ୍ବାର୍ଡ଼ ସଭ୍ୟଙ୍କଠୁ ଆରମ୍ଭ କରି ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି ।

ରାଜଧାନୀ ଭୁବନେଶ୍ବରରେ ଉପଜିଲ୍ଲାପାଳଙ୍କ ଅଫିସରେ ବିଜେପି ୨୯ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ବିଭିନ୍ନ ଜୋନ ପାଇଁ କଂଗ୍ରେସ ପ୍ରାର୍ଥୀମାନେ ଆଜି ପ୍ରାର୍ଥୀ ପତ୍ର କିଣିଛନ୍ତି । ସେମିତି ପଶ୍ଚିମ ଓଡିଶାର ବଲାଙ୍ଗୀର, ବରଗଡ, ସମ୍ବଲପୁର ସବୁଠି ପଞ୍ଚାୟତ ଅଫିସ, ବ୍ଲକ ଅଫିସ ଏବଂ ଉପ ଜିଲ୍ଲାପାଳଙ୍କ ଅଫିସରେ ପ୍ରଥମ ଦିନରେ ପ୍ରାର୍ଥୀମାନଙ୍କୁ ମାନାଙ୍କନ ପତ୍ର ଦାଖଲ କରିବା ଓ ପର୍ମ କଣିବା ଦେଖିବାକୁ ମିଳିଛି ।କେନ୍ଦ୍ରାପଡା , ଯାଜପୁର,  ପୁରୀରେ ମଧ୍ୟ ଆରମ୍ଭ ହୋଇଛି ମାନାଙ୍କନ ଦାଖଲ ପ୍ରକ୍ରିୟା ।ହେଲେ କୋଭିଡ କଟକଣା ଭିତରେ ନାମାଙ୍କନ ଦାଖଲ ହେଉଥିବାରୁ ନୋମିନେସନବେଳେ  ନାରାବାଜି ବାଜା, ବାଣ ସହ ଶୋଭାଯାତ୍ରା ଦେଖିବାକୁ ମିଳିନଥିଲା । କୋଭିଡ କଟକଣାରେ ନିର୍ବାଚନ ପ୍ରଚାର କରିବେ ବୋଲି ପ୍ରାର୍ଥୀ ମାନେ କହିଛନ୍ତି।

୨୦୧୭ ପଞ୍ଚାୟତ ନିର୍ବାଚନରେ ୮୫୩ ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହୋଇଥିଲା । ସେଥିରୁ  ବିଜେଡି ୪୭୩ଟି ଆସନ ପାଇ ଆଗରେ ଥିଲା ।  ୨୦୧୨ରେ ୩୬ ସିଟ ପାଇଥିବା ବିଜେପି ୨୦୧୭ରେ ୨୯୭ ଆସନ ପାଇ କଂଗ୍ରେସକୁ ପଛରେ ପକାଇ ଦିତୀୟ ସ୍ଥାନକୁ ଉଠିଥିଲା  । ୨୦୧୨ରେ ୧୨୮ ସିଟ ପାଇଥିବା କଂଗ୍ରେସ ୨୦୧୭ରେ ମାତ୍ର ୬୦ ଟି ଆସନ ପାଇ ତୃତୀୟ ସ୍ଥାନକୁ ଖସି ଆସିଥିଲା । ଏଥର  କିଏ କେତେ ଆସନ ଜିତିବ ସନେଇ ପ୍ରମୁଖ ତିନି ରାଜନୈତିକ ଦଳର ନେତାମାନେ ଅଙ୍କ କଷିବାରେ ବ୍ୟସ୍ତ ଅଛନ୍ତି ।  ଗତଥର ଅପେକ୍ଷା ଚଳିତ ଥର ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ୮୦ ଭାଗରୁ ଅଧିକ ସିଟ ଅକ୍ତିଆର କରିବ  ବୋଲି ଦମ୍ଭ ଦେଖାଇଛନ୍ତି ବିଜେଡି ନେତା।

ସେପଟେ ବିଜେପି ମଧ୍ୟ ହିସାବ ଦେଇ କହିଛି  ୫୫୦ ସିଟକୁ ଫୋକସ କରି ଦଳ ନିର୍ବାଚନକୁ ଓହ୍ଲାଇଛି । ଏଥର ପ୍ରତି ନିର୍ବାଚନ ମଣ୍ଡଳିରୁ ଅତିକମରେ ୩ ଟି ଆସନ ଜିତିବା ପାଇଁ ଦଳ ଲକ୍ଷ୍ୟ ରଖିଛି । ମୟୁରଭଞ୍ଜ,କେନ୍ଦୁଝର ,ବାଲେଶ୍ବର ସହ ଉପକୂଳରେ ରେଜଲ୍ଟ ଭଲ ହେବ ବୋଲି ହିସାବ ଦେଇଛି ଦଳ । ସେପଟେ ଗତଥର ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଚଳିତ ଥର ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି । ଚଳିତ ଥର  ୨୦୦ରୁ ଅଧିକ ଆସନ ଜିତିବା ନେଇ ଆଶା ରଖିଛି ଦଳ।

ଆଜିଠାରୁ ଆରମ୍ଭ ହୋଇଥିବା ନାମାଙ୍କନ ଦାଖଲ ପ୍ରକ୍ରିୟା  ଜାନୁଆରୀ ୨୧ ଯାଏ ଚାଲିବ । ୫ ଦିନରେ ୮୫୩ ଜିଲ୍ଳା ପରିଷଦ, ୬୭୯୪ ସରପଞ୍ଚ, ୬୭୯୪ସମିତି ସଭ୍ୟ ଏବଂ ୯୧,୯୧୩ ଓ୍ବାର୍ଡ ମେମ୍ବର ପଦବୀ ଲାଗି ନାମାଙ୍କନ ଦାଖଲ ହେବ । ଏଥିରୁ କେଉଁ ଦଳ କେତେ ସିଟ ହାତେଇବେ ତାକୁ ନେଇ ଚାଲିଥିବା ଅଙ୍କ କଷା ୨୫ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପରେ ଆହୁରି ଜୋରଦାର ହେବ।

Spread the love