ସାଇଗନରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସତ୍ୟ ସୁତାର

ଭୁବନେଶ୍ୱର,  ନେତାଜୀଙ୍କ 125ତମ ଜନ୍ମ ଶତବାର୍ଷିକୀ ଦେଶ ପାଳନ କରୁଛି l ଏହି ଅବସରରେ ଭିଏତନାମର ସାଇଗନସ୍ଥିତ ନୁଏନ ହୁଏ ଷ୍ଟ୍ରିଟରେ ଓଡ଼ିଆ ପୁଅ ସତ୍ୟ ସୁତାର ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l ଏହାସହ ସେଠାରେ ସେ ରାଷ୍ଟ୍ରୀୟ ସଂଗୀତ ଗାନ କରିଛନ୍ତି I ସେ ଚଳିତ ବର୍ଷ ଠାରୁ ପ୍ରତି ବର୍ଷ ନେତାଜୀ ଯାଇଥିବା ଭିନ୍ନ ଭିନ୍ନ ଦେଶକୁ ଯାଇ ଏଭଳି ଭାବେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବୋଲି ତାଙ୍କର ମତ ରଖିଛନ୍ତି।
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଫକୀରପୁର ଗ୍ରାମର ଓଡ଼ିଆ ପୁଅ ସତ୍ୟ ସୁତାର । ସିଙ୍ଗାପୁରରେ ଏକ ମଲ୍ଟି ନେସନାଲ କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ସେ କହିଛନ୍ତି ମୁଁ ଓଡିଶା ଛାଡି ବିଦେଶ ଆସିବାର ପାଖା ପାଖି ଦଶ ବାର ବର୍ଷ ହୋଇ ଗଲାଣି । ଆଉ କିଛି ବର୍ଷ ପରେ ସବୁଦିନ ପାଇଁ ମୋ ଜନ୍ମଭୂମିକୁ ଫେରିଯିବି । କିନ୍ତୁ ଓଡିଶା ଫେରିବା ପୂର୍ବରୁ ବିଦେଶରେ ଶେଷ ଇଚ୍ଛାର ପ୍ରଥମ ସୋପାନ ଚଳିତ ବର୍ଷ (୨୦୨୨) ଆରମ୍ଭ କରୁଛି । ଭାରତୀୟ ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ସୁଭାଷ ଚନ୍ଦ୍ର ବୋଷ । ଯାହାଙ୍କର ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧିନତା ଦେବି’ ଏବଂ ‘ଦିଲ୍ଲୀ ଚଲ୍ଲୋ’ ଭଳି ଆହ୍ବାନରେ ହଜାର ହଜାର ଦେଶପ୍ରେମୀ ନିଜ ଜୀବନକୁ ଦେଶ ମାତୃକା ପାଇଁ ଉତ୍ସର୍ଗ କରିଥିଲେ । ଯାହାଙ୍କ ନାଁ ଭାରତୀୟ ସ୍ବାଧୀନତା ସଂଗ୍ରାମ ଇତିହାସରେ ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ । ସେ ଆମ ପ୍ରିୟ ନେତାଜୀ, ଯିଏକି ଓଡ଼ିଶା ମାଟିରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କ ଆଦ୍ୟ ଜୀବନ ଓଡିଶା ରେ ହିଁ ଅତିବାହିତ ହୋଇଥିଲା। ତାଙ୍କ ଜୀବନର ପ୍ରାରମ୍ଭିକ ବ୍ୟକ୍ତିତ୍ୱ ଓଡିଶାର ସଂଗ୍ରାମୀ ମାଟିରେ ତିଆରି ହୋଇଥିଲା । ଏଥିଲାଗି ନେତାଜୀଙ୍କୁ ସମ୍ମାନ ଜଣାଇବାକୁ ଶ୍ରୀ ସୁତାର ନେତାଜୀ ଯେଉଁ ଦେଶ ଗୁଡିକୁ ଯାଇ ଭାରତକୁ ସ୍ୱାଧୀନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସେ ସବୁ ଦେଶ ଗୁଡିକୁ ଯିବାକୁ ଗତ କିଛି ଦିନ ତଳେ ସୋସିଆଲ ମେଡିଆରେ ପୋଷ୍ଟ କରିଥିଲେ l
ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ନେତାଜୀଙ୍କ 125ତମ ଜନ୍ମ ଶତବାର୍ଷିକୀରେ (ଜାନୁଆରୀ-୨୩) ଭିଏତନାମର ସାଇଗନ ଠାରେ ଭାରତର ରାଷ୍ଟ୍ରୀୟ ଗୀତ ଗାଇ ତାଙ୍କର ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବର୍ଷ ୨୦୨୨ ଭିଏତନାମରେ, ୨୦୨୩ ତାଇୱାନରେ, ୨୦୨୪ ବର୍ମାରେ, ୨୦୨୫ ସିଙ୍ଗାପୁରରେ ଓ ୨୦୨୬ ଜର୍ମାନୀକୁ ଯିବେ ବୋଲି ସେ କହିଛନ୍ତି । ଏହା ସହ ଶେଷରେ ମୋ ରାଜ୍ୟରେ ଏଭଳି ମହାନାୟକ ଜନ୍ମ ନେଇଥିବାରୁ ବହୁତ ଗର୍ବିତ ବୋଲି ସେ କହିଛନ୍ତି ।

Spread the love