କେବଳ କେଦାରନାଥରେ ପଡିଛି ୧୪ ଫୁଟ ବହଳର ବରଫ

ଡେରାଡୁନ ୨୪।୧: ଗତ ୧୫ ଦିନରୁ ଅଧିକ କାଳ ହେଲା ଜାରି ହୀମପାତ ଯୋଗୁ କେଦାରନାଥରେ ୧୪ ଫୁଟ ବହଳର ବରଫ ଜମି ଯାଇଛି। ସେହିପରି ବଦ୍ରିନାଥ ଧାମରେ ୫ ଓ ହେମକୁଣ୍ଡରେ ୬ ଫୁଟ ବହଳ ବରଫ ଜମିଥିବା ଜଣାପଡିଛି। ଭୀଷଣ ହୀମପାତ ଯୋଗୁ କେଦାରନାଥରେ ସଞ୍ଚାର ସେବା ବନ୍ଦ ହୋଇଯିବା ଲୋକଙ୍କୁ ବାହ୍ୟ ଜଗତରୁ ବିଛିନ୍ନ କରିଛି। ଅସହ୍ୟ ଥଣ୍ଡା ଓ ହୀମପାତ ସତ୍ତ୍ୱେ କେଦାରନାଥରେ ଏବେବି କିଛି ସାଧୁ ରହିଛନ୍ତି। ତେବେ ମୋବାଇଲ ଓ ଅନ୍ୟ ଯୋଗାଯୋଗ ବ୍ୟହତ ହେବା ଯୋଗୁ ସେମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିପାରୁ ନାହିଁ।

ସେହିପରି ଦ୍ୱିତୀୟ କେଦାର ମହେଶ୍ୱର ଓ ତୃତୀୟ କେଦାର ତୁଙ୍ଗନାଥ ସମେତ ଅନ୍ୟ ଉଚ୍ଚ ସ୍ଥାନଗୁଡିକ ମଧ୍ୟ ବରଫରେ ଲଦି ହୋଇରହିଛି। ରବିବାର ସକାଳୁ ସନ୍ଧ୍ୟାପର୍ଯ୍ୟନ୍ତ କେଦାରନାଥରେ ରହିରହି ଝିପିଝିପି ବର୍ଷା ହୋଇଥିଲା। ତେବେ ବର୍ଷା ସତ୍ତ୍ୱେ ମଧ୍ୟ ହୀମପାତ ଜାରି ଥିଲା। ଫଳରେ ଆଉ ୩ ଫୁଟ ବହଳର ନୂଆ ବରଫ ଜମି ଯାଇଛି। ହୀମପାତ ଯୋଗୁ ରୁଦ୍ରପ୍ରୟାଗ ଜନପଦର ଗୌଣ୍ଡାର, ତୋଷୀ, ତ୍ରିୟୁଗୀ ନାରାୟାଣ, ଚିଲୌଣ୍ଡ, ଚୌମାସୀ ସମେତ ୩୦ରୁ ଅଧିକ ଗାଁ ଲୋକଙ୍କ ଚାଷବାସ ଓ ପଶୁପାଳନ ପ୍ରଭାବିତ ହୋଇଛି।

ବରଫ ଜମିବା ଯୋଗୁ ଜୋଶୀମଠ-ଅଉଲି, ବଦ୍ରିନାଥ ହାଇୱେର ହନୁମାନ ଚଟିରୁ ଆଗକୁ ଗୋପେଶ୍ୱର ଚୌପତା-ଉଖିମଠ ହାଇୱେ ସ୍ଥାନେ ସ୍ଥାନେ ବନ୍ଦ ହୋଇଯାଇଛି। ତେବେ ଅଉଲୀରେ ହୀମପାତ ଯୋଗୁ ସେଠାରେ ଥିବା ପର୍ଯ୍ୟଟକ ଏହାର ବେଶ ମଜା ନେଉଛନ୍ତି। ରାସ୍ତାରେ ବରଫ ପଡି ଜମି ଯାଇଥିବାରୁ ଲୋକେ ରୋପୱେରେ ଅଉଲି ଯାଇ ସେଠାରେ ହୀମପାତର ମଜା ନେଉଛନ୍ତି।

Spread the love