ୟୁକ୍ରେନରେ ବଢୁଛି ଉତ୍ତେଜନା, ପୂର୍ବ ୟୁରୋପକୁ ବିମାନ ଓ ଯୁଦ୍ଧପୋତ ପଠାଇଲା NATO

ବ୍ରସେଲସ୍ ୨୪।୧: ୟୁକ୍ରେନ ସୀମାରେ ଋଷୀୟ ସୈନିକଙ୍କ ସଂଖ୍ୟା ବୃଦ୍ଧି ସହ ଉତ୍ତେଜନା ମଧ୍ୟ ଅନୁରୂପ ବଢ଼ିବାରେ ଲାଗିଛି। ଉପୁଜିଥିବା ପରିସ୍ଥିତିରେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଙ୍ଗଠନ (ନାଟୋ) ମଧ୍ୟ ନିଜର ଅତିରିକ୍ତ ସୈନ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିରେ ଏବେ ପୂର୍ବ ୟୁରୋପକୁ ନାଟୋ ବହୁ ସଂଖ୍ୟାରେ ଯୁଦ୍ଧପୋତ ଓ ଫାଇଟର ଜେଟ୍‌ ପଠାଇଛି। ଏହା ଛଡା ୟୁରୋପୀୟ ସଂଘର ସଦସ୍ୟ ଦେଶଙ୍କ ବୈଦେଶିକ ମନ୍ତ୍ରୀମାନେ ସୋମବାର ୟୁକ୍ରେନ ସମର୍ଥନରେ ନିଜର ଏକତା ପ୍ରଦର୍ଶନ କରିଛନ୍ତି। ଏହା ଏବେ ଋଷୀୟା ଲାଗି ଚିନ୍ତାର କାରଣ ପାଲଟିଛି।

ଉପୁଜିଥିବା ପରିସ୍ଥିତିରେ କ୍ରେମଲିନ ୟୁକ୍ରେନରେ ଉତ୍ତେଜନ ବଢିବ ବୋଲି କହିବା ଏବେ ଚିନ୍ତାଜନକ ହୋଇଛି। ୩୦ ଦେଶଙ୍କ ସୈନ୍ୟ ସଙ୍ଗଠନ ନାଟୋ ବଲ୍ଟିକ୍ ସାଗର କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଥିବା କହିଛି। ଏହି ଅନୁସାରେ ଏବେ ନାଟୋ ଅନ୍ତର୍ଗତ ଦେଶମାନେ ନିଜନିଜ ପକ୍ଷରୁ ସୈନ୍ୟ ଓ ଅନ୍ୟ ସରଞ୍ଜାମ ମଧ୍ୟ ପଠାଇବା ଆରମ୍ଭ କରିଛନ୍ତି। ଏଥିରେ ଡେନମାର୍କ ବଲ୍ଟିକ ସାଗରକୁ ଏକ ଯୁଦ୍ଧପୋତ ପଠାଇଥିବା ବେଳେ ଲିଥୁଆନିଆରେ ଏଫ-୧୬ ସ୍କ୍ୱାଡ୍ରନକୁ ମୁତୟନ କରିଛି।

ସେପଟେ ସ୍ପେନ୍ ମଧ୍ୟ ନାଟୋକୁ ସମୁଦ୍ରରେ ବଳ ଦେବା ଲାଗି ନିଜ ଯୁଦ୍ଧପୋତ ପଠାଇଥିବା ବେଳେ ବୁଲଗାରିଆକୁ ଏୟାରଫୋର୍ସ ସ୍କ୍ୱାଡ୍ରନ ପଠାଇବାକୁ ଏବେ ବିଚାର କରୁଛି।  ସେହିପରି ଫ୍ରାନସ ବୁଲଗାରିଆକୁ ସୈନ୍ୟ ପ୍ରେରଣ ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଏଥିରେ ନାଟୋ ଜେନେରାଲ ସେକ୍ରେଟାରୀ ଜେନ୍ସ ଷ୍ଟୋଲଟେନବର୍ଗ ଏକ ବୟାନ ଜାରି କରି ମେଣ୍ଟର ସବୁ ସହଯୋଗୀଙ୍କ ସୁରକ୍ଷା ଲାଗି ଆମେ ବଦ୍ଧପରିକର ବୋଲି କହିଛନ୍ତି। ଏଥିଲାଗି ଯାହାବି ଦରକାର ପଡିବ ପଦକ୍ଷେପ ନିଆଯିବ ବୋଲି କହିବା ଚିନ୍ତାର କାରଣ ପାଲଟିଛି। ତେବେ ନାଟୋର ଏପରି ପଦକ୍ଷେପ ସେଠାରେ ଗତିରୋଧ ବଢାଇବ ବୋଲି କ୍ରେମଲିନ ସତର୍କ କରିଛି।

ୟୁକ୍ରେନ ଉପରେ ଋଷୀୟ ଆକ୍ରମଣ ଆଶଙ୍କା ବଳବତ୍ତର ହେବା ସହ ଇୟୁରୋପୀୟ ୟୁନିୟନର ଏକତା ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଯଦି ୟୁକ୍ରେନ ଉପରେ ଋଷିଆ ଆକ୍ରମଣ କରେ ତେବେ ତା ବିରୋଧରେ କଡ଼ା କଟକଣା ଜାରି ହେବ ବୋଲି ସତର୍କ କରିଛନ୍ତି। ସୋମବାର ଇୟୁରୋପୀୟ ୟୁନିୟନଙ୍କ ବୈଦେଶିକ ମନ୍ତ୍ରୀମାନଙ୍କ ଜରୁରି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ୟୁନିୟନର ବିଦେଶ ନୀତି ମୁଖ୍ୟ ଜୋସେପ୍ ବେରେଲ ସବୁ ସଦସ୍ୟ ଦେଶ ଏକଜୁଟ ହୋଇଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବେଲା ଋଷ ସହ ସମରାଭ୍ୟାସ ନାମରେ ଋଷିଆ ଉତ୍ତର ୟୁକ୍ରେନ ସୀମାରେ ଲକ୍ଷାଧିକ ସୈନିକ ଠୁଳ କରିବା ସହ ବିପୁଳ ସଂଖ୍ୟାରେ ଟ୍ୟାଙ୍କ, ତୋପ ସମେତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପହଞ୍ଚାଇବାରେ ଲାଗିଛି। ଏଥିରେ ବେଲାଋଷ ରାସ୍ତାରେ ଋଷିଆ ୟୁକ୍ରେନକୁ ଘେରିବାକୁ ଉଦ୍ୟମ କରୁଥିବାର ସୁରାଗ ମିଳିବା ମାତ୍ରେ ନାଟୋ ଏହାର ପ୍ରତିକ୍ରିୟା  ଦେଇଛି। ଏଥିରେ ଋଷିଆ ଯଦି ନିଜ ନିଷ୍ପତ୍ତିରୁ ନ ଓହରେ ତେବେ ଏହା ଭୟାବହ  ରୂପ ନେବ ବୋଲି ଆଶଙ୍କା କରାଗଲାଣି।

Spread the love