ମୁହଁ ଖୋଲିଲେ ରୋହିତ ଶର୍ମା: ସେହି ଅଧଘଣ୍ଟା ପାଇଁ ବିଶ୍ବକପରୁ ବାଦ ପଡ଼ିଲା ଟିମ୍ ଇଣ୍ଡିଆ…

ଚଳିତ ବିଶ୍ବକପରେ ଭାରତୀୟ କ୍ରିକେଟ ଟିମ ସେମିଫାଇନାଲରେ ଯେଉଁଭଳି ଭାବେ ନ୍ୟୁଜିଲାଣ୍ଡ ଠାରୁ  ପରାଜୟବରଣ କଲେ, ନିଶ୍ଚିତ ଭାବେ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଶକ୍ତ ଆଘାତ ଲାଗିଛି। ଟିମ ଇଣ୍ଡିଆ ଲିଗ୍ ମ୍ୟାଚରୁ ପ୍ରତ୍ୟେକଟି ମ୍ୟାଚରେ ଦମଦାର୍ ପ୍ରଦର୍ଶନ କରିଥିଲା।

ସେମିଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆର ରଣକୌଶଳରେ କେଉଁଠି ନା କେଉଁଠି ତ୍ରୁଟି ରହିବା ଯୋଗୁ ନ୍ୟୁଜିଲାଣ୍ଡ ଠାରୁ ହାରିଲା ବୋଲି କ୍ରିକେଟପ୍ରେମୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ବିଶ୍ବକପରୁ ଟିମ୍ ଇଣ୍ଡିଆ ବାଦ ପଡ଼ିଲା ପରେ ସବୁ ଖେଳାଳୀ ନିଜ ସପକ୍ଷରେ ସଫେଇ ଦେବାରେ ଲାଗିଛନ୍ତି। ହେଲେ ବିଶ୍ବକପରେ ୫ଟି ଦମଦାର ଶତକ ହାସଲ କରିଥିବା ରୋହିତ ଶର୍ମା ଚୁପ ରହିଥିଲେ।

ଶନିବାର ରୋହିତ ଶର୍ମା ଟିମ ଇଣ୍ଡିଆର ବିଫଳତା ନେଇ ମୁହଁ ଖୋଲିଛନ୍ତି।ସେମିଫାଇନାଲରେ ଟିମ ଇଣ୍ଡିଆର ଖରାପ ପ୍ରଦର୍ଶନ ନେଇ ରୋହିତ କହିଛନ୍ତି, “ଯେତେବେଳେ ଟିମ ପାଇଁ ଆମକୁ କିଛି କରିବାର ମୌକା ମିଳୁଛି, ସେତେବେଳେ ଆମେ ବିଫଳ ହୋଇଛୁ”। ସେମିଫାଇନାଲ ମ୍ୟାଚରେ ଅଧଘଣ୍ଟା ଖରାପ ବ୍ୟାଟିଂ ଯୋଗୁ  ଆମେ ମ୍ୟାଚ ହାରିଲୁ। ଭାରତୀୟ କ୍ରିକେଟପ୍ରେମୀଙ୍କୁ ଯେତିକି ଆଘାତ ଲାଗିଛି ମୋତେ ମଧ୍ୟ ସେତିକି କଷ୍ଟ ହୋଇଛି।ରୋହିତ ଆହୁରି ମଧ୍ୟ କହିଛନ୍ତି, ରବିନ୍ଦ୍ର ଜାଡ଼େଜା ଓ ମହେନ୍ଦ୍ର ସିଂହ ଧୋନୀ ସବୁ ଭାରତୀୟଙ୍କ ମନ ଜିଣିଛନ୍ତି।

ଆଜି ଭାରତୀୟ ଟିମ ଏହି ସ୍ଥାନରେ ପହଞ୍ଚିଛି କେବଳ ସେମାନଙ୍କ ଯୋଗୁ ତେଣୁ ସବୁ ଶ୍ରେୟ ସେମାନଙ୍କୁ ଦେଇଛନ୍ତି। ଗୋଟେ ସମୟରେ ଭାରତୀୟ ଦଳ ୧୫୦ରନ କରିବା ପାଇଁ ଅସମର୍ଥ ଥିଲେ, କିନ୍ତୁ ଆଜି ସେହି ପରସ୍ଥିତି ନାହିଁ ବୋଲି ରୋହିତ ଶର୍ମା କହିଛନ୍ତି। ଆଗାମୀ ବିଶ୍ବକପ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ରୋହିତ ବୁଲେଇ ବଙ୍କେଇ କହିଥିଲେ।

Spread the love