ଅନ୍‌ଲାଇନ୍‌ ଗେମ୍‌ରୁ ଖେଳିଲା ରକ୍ତର ହୋଲି, ମା’ଙ୍କ ସହ ୪ଜଣଙ୍କୁ ଗୁଳି ମାରି କଲା ହତ୍ୟା

ଲାହୋର ୨୯।୦୧: ଅନ୍‌ଲାଇନ୍‌ ଗେମ୍‌ ହେଲା କାଳ । ପବ୍‌ଜି ଗେମ୍‌ରେ ପ୍ରଭାବିତ ହୋଇ ଜଣେ ୧୪ ବର୍ଷୀୟ କିଶୋର ଖେଳିଛି ରକ୍ତର ହୋଲି । ନିଜ ପରିବାରର ୪ ଜଣଙ୍କୁ ଗୁଳି ମାରି ହତ୍ୟା କରିଛି । ମୃତକଙ୍କ ମଧ୍ୟରେ ହତ୍ୟାକାରୀର ମାଆ, ୩ ଭାଇଭଉଣୀ ରହିଥିବା ଜଣାପଡ଼ିଛି । ଘଟଣାରେ ପୁଲିସ ତାକୁ ଅଟକ ରଖି ପଚରାଉଚରା କରୁଛି ।

ଖବର ଅନୁଯାୟୀ,  ପାକିସ୍ତାନର ପଞ୍ଜାବ ପ୍ରଦେଶ ରାଜଧାନୀ ଲାହୋରରେ ଘଟିଛି । ହତ୍ୟାକାରୀର ନାମ ଜୈନ ଅଲ୍ଲୀ ବୋଲି ଜଣାପଡ଼ିଛି । ଅଲ୍ଲୀ ଅଧିକାଂଶ ସମୟରେ ପବ୍‌ଜି ଗେମ୍‌ ଖେଳୁଥିଲା । ସେ ବାହାରକୁ ନ ଯାଇ ସବୁବେଳେ ଘରେ ରହି ଅନ୍‌ଲାଇନ୍‌ ଗେମ୍‌ ଖେଳୁଥିଲା । ତେବେ ଗେମ୍‌ରେ ଦିଆଯାଇଥିବା ଟାର୍ଗେଟ୍‌ ପୂରଣ କରି ନ ପାରିବାରୁ ସେ ଅତ୍ୟଧିକ ଆକ୍ରାମକ ହୋଇଯାଇଥିଲା । ସେ ତା’ର ହିତାହିତ ଜ୍ଞାନ ହରାଇ ବସିଥିଲା । ଏହାପରେ ସେ ତା’ ମାଆଙ୍କର ପିସ୍ତଲ୍‌ ନେଇ ଶୋଇଥିବା ଅବସ୍ଥାରେ ସମସ୍ତଙ୍କ ଉପରେ ଗୁଳି ଚଳାଇଥିଲା । ଘଟଣାସ୍ଥଳରେ ସମସ୍ତେ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଅଲ୍ଲୀର ମାଆ ନହିଦ୍‌ ମୁବାରକ୍‌ (୪୫), ତାଙ୍କ ବଡ଼ପୁଅ ତାଇମୁର ସୁଲ୍‌ତାନ (୨୦) ଏବଂ ଝିଅ ମହନୂର (୧୫) ଓ ଜନ୍ନତ୍‌ (୧୦) ଅଛନ୍ତି । ମୃତଦେହଗୁଡ଼ିକୁ କାହ୍ନା ଅଞ୍ଚଳର ଏଲ୍‌ଡିଏ ଛକସ୍ଥିତ ସେମାନଙ୍କ ଏକାଧିକ ମହଲାବିଶିଷ୍ଟ ଘରୁ ଉଦ୍ଧାର କରାଯାଇଛି ।

ଅଲ୍ଲୀ ନିଜେ ଏହି କାଣ୍ଡ ଭିଆଇଥିବା ସ୍ୱୀକାର କରିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ଏମିତିକି ଘଟଣା ପରେ ସେ କିଛି ସମୟ ଘରେ ରହି ପଳାଇଥିଲା । ବାହାରେ ବୁଲାବୁଲି ପରେ ଘରକୁ ଫେରି କିଛି ନ ଜାଣିଲା ଭଳି ଅଭିନୟ କରିଥିଲା । କିନ୍ତୁ ପରେ ସବୁ ସତ ଓଗାଳିଥିଲା । ଲାହୋରରେ ଏହାକୁ ମିଶାଇ ୪ଟି ଏଭଳି ଘଟଣା ଘଟିଲାଣି ।

Spread the love